
ଚୌଦ୍ୱାର (ଶିବବ୍ରତ ଦାସ) ପାଣିରେ ଭାସୁଛି ଶହ ଶହ ମଲା କୁକୁଡ଼ା… କେଉଁଠୁ ଆସିଲେ, କେମିତି ମଲେ ଆଉ କିଏ ଆଣି ଏଠାରେ ଫିଙ୍ଗିଦେଲା—ତାହାର କୌଣସି ଠୋସ୍ ଉତ୍ତର ନାହିଁ। ହେଲେ ଦୃଶ୍ୟ ଯେତିକି ଭୟଙ୍କର, ଦୁର୍ଗନ୍ଧ ସେତିକି ଅସହ୍ୟ। କେବଳ ଖୋଲା ପାଣିରେ ନୁହେଁ… ଜରି ଅଖାର ମୁହଁ ବାନ୍ଧି ତା’ଭିତରେ ମଧ୍ୟ ଭର୍ତ୍ତି କରାଯାଇଛି ମଲା କୁକୁଡ଼ା। ଦିନ ଗଡ଼ିବା ସହ ମୃତ କୁକୁଡ଼ାଙ୍କ ଦେହରେ ପୋକ ସାଲୁବାଲୁ ହେଲାଣି। ଫଳରେ ଚାରିଆଡ଼େ ବ୍ୟାପିଛି ଅସହ୍ୟ ଦୁର୍ଗନ୍ଧ। ଏ ଦୃଶ୍ୟ ହେଉଛି ଟାଙ୍ଗୀ ଚୌଦ୍ୱାର ବ୍ଲକ ଅଧୀନ ବ୍ରହ୍ମପୁର ପଞ୍ଚାୟତର ଜଙ୍ଗଲ ଜମିରେ ଥିବା ପଥର ଛଇର। ପ୍ରଶ୍ନ ଉଠୁଛି କାହା ଅନୁମତିରେ ଏଠାରେ ଏଭଳି ମୃତ କୁକୁଡ଼ା ଫିଙ୍ଗାଯାଉଛି? ଏହା ପଛରେ କିଏ ଅଛି? ଆଉ ଏତେ ବଡ଼ ଘଟଣା ପ୍ରତି ପ୍ରଶାସନର ନଜର କେବେ ପଡ଼ିବ? ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି—ଏହି ଦୂଷିତ ପାଣି କେବଳ ଜଙ୍ଗଲରେ ସୀମିତ ନୁହେଁ। ପାହାଡ଼ରୁ ଗଡ଼ିଆସୁଥିବା ବର୍ଷାଜଳ ଓ ଝରଣା ପାଣି ଅନବରତ ଭାବେ ଗାଁ ଆଡ଼କୁ ପ୍ରବେଶ କରୁଛି। ଏଭଳି ସ୍ଥିତିରେ ମୃତ କୁକୁଡ଼ାରୁ ଦୂଷିତ ହେଉଥିବା ପାଣି ଗାଁ ଅଞ୍ଚଳକୁ ପହଞ୍ଚିଲେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇପାରେ। କେବଳ ମଣିଷ ନୁହେଁ… ଏହି ଅଞ୍ଚଳରେ ଚରୁଥିବା ଗାଈଗୋରୁ ଏବଂ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ରହିଛି ବିପଦ। ଅସାବଧାନତାରେ ଏହି ଦୂଷିତ ପାଣି ବ୍ୟବହାର କିମ୍ବା ସଂସ୍ପର୍ଶରେ ଆସିଲେ ସମସ୍ୟା ଆହୁରି ଗମ୍ଭୀର ହୋଇପାରେ।ଯେଉଁଠି ମୃତ କୁକୁଡ଼ାଙ୍କୁ ନିୟମ ଅନୁସାରେ ନଷ୍ଟ କରିବା କଥା, ସେଠି ଜନବସତି ଓ ଜଙ୍ଗଲ ନିକଟରେ ଏଭଳି ଭାବେ ଫିଙ୍ଗିଦେବାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି ମୃତ କୁକୁଡ଼ାଗୁଡ଼ିକୁ ତୁରନ୍ତ ହଟାଇବା ସହ ଏହା କିଏ ଓ କାହିଁକି କରିଛି, ତାହାର ତଦନ୍ତ କରିବା ଜରୁରୀ। ମୃତ କୁକୁଡ଼ାର ଦୁର୍ଗନ୍ଧ ଏବେ କେବଳ ନାକକୁ ନୁହେଁ, ପ୍ରଶାସନର ଦାୟିତ୍ୱବୋଧକୁ ମଧ୍ୟ ପ୍ରଶ୍ନ କରୁଛି। ସମୟ ଥାଉ ଥାଉ ଯଦି ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ଏହି ଅବହେଳା ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟାର ରୂପ ନେଇପାରେ।