ଚୌଦ୍ଵାର ପୋଲିସ କୁ ସଫଳତା; ୧୨ଟି ଗ୍ୟାସ ସିଲିଣ୍ଡର ସାଙ୍ଗକୁ ପଲସର ଜବତ

ଚୌଦ୍ଵାର (ଶିବବ୍ରତ ଦାସ): ଚୌଦ୍ୱାର ପୋଲିସକୁ ମିଳିଛି ବଡ଼ ସଫଳତା। ଗ୍ୟାସ୍ ସିଲିଣ୍ଡର ଚୋରି ଅଭିଯୋଗରେ ଜଣକୁ ଗିରଫ କରିବା ସହ ୧୨ଟି ଗ୍ୟାସ୍ ସିଲିଣ୍ଡର ଓ ଗୋଟିଏ ବାଇକ୍ ଜବତ କରିଛି ଚୌଦ୍ଵାର ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଚୌଦ୍ୱାର ଥାନା ଅଞ୍ଚଳର ତୁଙ୍ଗା ଓରଫ ସନ୍ତୋଷ ବାରିକ। ପୋଲିସ ସୂଚନା ଅନୁଯାୟୀ, ଅଗଷ୍ଟ ୫ ତାରିଖରେ ଗାନ୍ଧୀ ଛକ ଗ୍ୟାସ୍ ଏଜେନ୍ସିର ଏକ ଡେଲିଭରି ଗାଡ଼ିରେ ୨୩ଟି ଗ୍ୟାସ୍ ସିଲିଣ୍ଡର ନେଇ ଗ୍ରାହକଙ୍କୁ ଯୋଗାଣ ପାଇଁ ବାହାରିଥିଲେ ଡ୍ରାଇଭର ଉତ୍ତମ କୁମାର ସାହୁ।ଦିନ ପ୍ରାୟ ୨ଟା ୫୦ରେ ଏକ ହୋଟେଲ ସମ୍ମୁଖରେ ଗାଡ଼ି ରଖି ଖାଇବାକୁ ଯାଇଥିବା ବେଳେ, ଆସି ଦେଖିଲେ ଗାଡ଼ିରୁ ଗୋଟିଏ ଗ୍ୟାସ୍ ସିଲିଣ୍ଡର ଗାଏବ। ଏନେଇ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଘଟଣାସ୍ଥଳର ସିସିଟିଭି ଯାଞ୍ଚ କରି ସନ୍ତୋଷ ବାରିକକୁ ଗିରଫ କରିଛି। ପୋଲିସର ପଚରା ଉଚରା ସମୟରେ ଅଭିଯୁକ୍ତ ଓ ଅନ୍ୟ ସହଯୋଗୀମାନେ ଚୌଦ୍ୱାର ଓ ଜଗତପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଏକାଧିକ ଗ୍ୟାସ୍ ସିଲିଣ୍ଡର ଚୋରି କରିଥିବା ସ୍ୱୀକାର କରିଛି। ଚୋରି କରୁଥିବା ସିଲିଣ୍ଡର ଗୁଡ଼ିକ ଓଟିଏମ୍ ବଜାରର ଏକ ଗ୍ୟାସ୍ ଓ ପାର୍ଟସ୍ ମରାମତି ଦୋକାନରେ ବିକ୍ରି କରାଯାଉଥିବା ନେଇ ମଧ୍ୟ ପୋଲିସ ସୂଚନା ପାଇଥିଲା। ତଦନ୍ତ ସମୟରେ ପୋଲିସ ୫ଟି ଭାରତ ଗ୍ୟାସ୍, ୫ଟି ଇଣ୍ଡେନ୍ ଗ୍ୟାସ୍ ଓ ୨ଟି HP ଗ୍ୟାସ୍ ସିଲିଣ୍ଡର ସମେତ ଗୋଟିଏ ବଜାଜ୍ ପଲସର୍ ବାଇକ୍ (ଓଡ଼ି ୦୫ ଯେ ୫୭୦୭) ଜବତ କରିଛି। ସନ୍ତୋଷ ନାମରେ ପୂର୍ବରୁ ଚୌଦ୍ୱାର ଓ ଜଗତପୁର ଥାନାରେ ଏକାଧିକ ମାମଲା ରହିଛି। ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଚୋରି ହୋଇଥିବା ଅନ୍ୟ ସିଲିଣ୍ଡର କେଉଁଠାରେ ରହିଛି, ସେନେଇ ତଦନ୍ତ ଜାରି ରଖିଛି ଚୌଦ୍ୱାର ପୋଲିସ।