ମୁହଁରେ ପଦ୍ମ ପଛରେ ଶଙ୍ଖ!

ଚୌଦ୍ଵାର (ଶିବବ୍ରତ ଦାସ): ବିଜେପିର ମଞ୍ଚରେ ଭାଷଣ, ବିଜେଡି ଶିବିରରେ ବୈଠକ! ଟାଙ୍ଗୀରେ ‘ନୀତି-ଆଦର୍ଶ’ର ନୂଆ ରାଜନୈତିକ ଅଧ୍ୟାୟକୁ ନେଇ ଚର୍ଚ୍ଚା। ବିଜେପିର ନୀତି-ଆଦର୍ଶର କଥା କହି ଟାଙ୍ଗୀରେ ନିଜର ପରିଚୟ ତିଆରି କରୁଥିବା ସମାଜସେବୀ ତଥା ଘରୋଇ ଶିକ୍ଷାନୁଷ୍ଠାନର ଅଧକ୍ଷ ତ୍ରିଦେବ ବେହେରାଙ୍କୁ ନେଇ ଏବେ ଟାଙ୍ଗୀ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଦିନରେ ବିଜେପିର ନୀତି-ଆଦର୍ଶର ଗୁଣଗାନ, ଆଉ ରାତିରେ ବିଜେଡି ନେତାଙ୍କ ସହ ଆଲୋଚନା—ଏହି ‘ଡବଲ୍ ରୋଲ୍’ର ରହସ୍ୟ କ’ଣ? ଏହା ସୌଜନ୍ୟ ସାକ୍ଷାତ୍‌କାର ନା ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଗଣିତ? ସରକାର ବଦଳିବା ପରେ ଟାଙ୍ଗୀ ଅଞ୍ଚଳରେ ନିଜର ପ୍ରଚାର-ପ୍ରସାର ଜୋରଦାର କରିଥିବା ତ୍ରିଦେବଙ୍କୁ ନେଇ କିଛି ମହଲରେ ‘ଅଧା ବିଧାୟକ’ ବୋଲି କଟାକ୍ଷ ମଧ୍ୟ ଶୁଣିବାକୁ ମିଳୁଛି। ଏବେ ପୁଣି ବିଜେଡି ନେତାଙ୍କ ସହ କଥିତ ଗୁପ୍ତ ବୈଠକ ଚର୍ଚ୍ଚାକୁ ଆସିବା ପରେ ପ୍ରଶ୍ନ ଉଠୁଛି—ନିର୍ବାଚନ ଆସିଲେ ନୀତି-ଆଦର୍ଶ ବଦଳେ, ନା ଠିକଣା? ଟାଙ୍ଗୀରେ ବିଜେପିକୁ ମଜବୁତ କରିବାର କଥା କହୁଥିବା ବେଳେ ବିପକ୍ଷ ଶିବିର ସହ ଏଭଳି ଆଲୋଚନାର ଆବଶ୍ୟକତା କାହିଁକି ପଡ଼ିଲା—ଏହାର ଉତ୍ତର ନିଶ୍ଚିତ ଭାବେ ଟାଙ୍ଗୀବାସୀ ଜାଣିବାକୁ ଚାହୁଁଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ, ତେଣୁ ରାଜନୈତିକ ମାଟି ଗରମ ହେବା ସ୍ୱାଭାବିକ। କିନ୍ତୁ ଯଦି ଗୋଟିଏ ଶିବିରରେ ରହି ଅନ୍ୟ ଶିବିର ସହ ଗୁପ୍ତ ଆଲୋଚନା ହୁଏ, ତେବେ ଏହାକୁ ‘ସୌଜନ୍ୟ’ କୁହାଯିବ ନା ‘ସମୀକରଣ’ କୁହାଯିବ! ଏନେଇ ଟାଙ୍ଗୀ ରାଜନୀତିରେ ଚର୍ଚ୍ଚା ହେବା ସ୍ୱାଭାବିକ। ସ୍ଥାନୀୟ ମହଲରେ ଆଉ ଏକ କଟାକ୍ଷ ଶୁଣିବାକୁ ମିଳୁଛି ବିଜେପିକୁ ଭାଙ୍ଗିବାକୁ ବାହାରୁ କେହି ଦରକାର ନାହିଁ, ଯଦି ଘର ଭିତରୁ ହିଁ ‘ସେତୁ’ ତିଆରି ହେଉଛି! ତେବେ ଏହି ବୈଠକର ଅସଲ ଏଜେଣ୍ଡା କ’ଣ? କେବଳ ଚା’ ଆଉ ଆଲୋଚନା, ନା ଆଗାମୀ ନିର୍ବାଚନ ପାଇଁ ନୂଆ ଖେଳର ଚିତ୍ରନାଟ୍ୟ? ନିଜ ଜନ୍ମ ମାଟିକୁ ଭୁଲି ଟାଙ୍ଗୀ ଅଞ୍ଚଳର ଉନ୍ନତି କଥା କହି ଲୋକଙ୍କ ଭୂଆଁ ବୁଲାଇ କଣ ସାବ୍ୟସ୍ତ କରିବାକୁ ଚାହାଁନ୍ତି ତ୍ରିଦେବ। ଯଦି ଟାଙ୍ଗୀ ଅଞ୍ଚଳ ଏବେବି ଅବହେଳିତ ତେବେ ବିଧାୟକ କରୁଛନ୍ତି କଣ ବୋଲି ଲୋକଙ୍କ ଭିତରେ ଆଲୋଚନା ହେଉଛି। ବିଜେପିର ନାଁରେ ରାଜନୀତି, ବିଜେଡି ସହ ଗୁପ୍ତ ବୈଠକ, ଏବେ ଟାଙ୍ଗୀବାସୀଙ୍କ ପ୍ରଶ୍ନର କିଏ ଦେବ ଉତ୍ତର।