
ଛତ୍ରପୁର : ୧୦/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ମାୟାପାଟଣା ଛକ ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ଟାଟାଏସି ଗାଡ଼ି ଓଲଟି ପଡ଼ିଛି। ଫଳରେ ଏଥିରେ ଥିବା ଡ୍ରାଇଭରଙ୍କ ସମେତ ୧୩ ଜଣ ବୋଲବମ୍ ଭକ୍ତ (କାଉଡ଼ିଆ) ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ହାଇଓ୍ବେ ପାଟ୍ରୋଲିଂ ଷ୍ଟାଫ୍ ଓ ପୋଲିସ ସାହାଯ୍ୟରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଥିମଧ୍ୟରୁ ଡ୍ରାଇଭର ଗୁରତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି।
ପୋଲିସ କହିବା ଅନୁସାରେ, ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ଅଞ୍ଚଳରୁ କାଉଡ଼ିଆ ଏବଂ ତାଙ୍କୁ ସହାୟତା କରିବା ନିମନ୍ତେ କିଛି ବ୍ୟକ୍ତି ଏକ ଟାଟା ଏସି ଗାଡ଼ି ଯୋଗେ ଗଞ୍ଜାମ ଋଷିକୂଲ୍ୟା ନଦୀ ଅଭିମୁଖେ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା। ସେମାନେ ଆଜି ଋଷିକୂଲ୍ୟା ନଦୀରୁ ଜଳ ଧରି ଅଲେଶ୍ୱର ଶୈବପୀଠକୁ ଯାଇଥାନ୍ତେ। ସେମାନଙ୍କ ଜଳାଭିଷେକ ଅଧା ରହିଗଲା।