
ନିଜ ଘରେ ଆଣ୍ଠୁଏ ପାଣି, ପର ଘରେ ବନ୍ଧ ବାନ୍ଧିବାକୁ ବାହାରିଲେ ପ୍ରଶାନ୍ତ!
ଚୌଦ୍ୱାର(ଶିବବ୍ରତ ଦାସ)-କଟକ ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗରେ ଏବେ ପୁଣି ଦେଖାଦେଇଛି ନୂଆ ତାପମାତ୍ରା। ପ୍ରବଳ ବର୍ଷାରେ ପଞ୍ଚାୟତ ଅଞ୍ଚଳର ଚାଷୀଙ୍କ ଦୁର୍ଦ୍ଦଶାକୁ ନେଇ ହଠାତ୍ ଚିନ୍ତିତ ହୋଇପଡ଼ିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପୂର୍ବତନ ହେଭିୱେଟ୍ ନେତା ପ୍ରତାପ ଜେନା। ତାଙ୍କ ସହ ଦେଖାଦେଇଛନ୍ତି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା। ଚାଷୀଙ୍କ ସମସ୍ୟା ପ୍ରତି ଏହି ହଠାତ୍ ଜାଗ୍ରତ ହୋଇଥିବା ଦରଦକୁ ନେଇ ଏବେ ଚୌଦ୍ୱାର ରାଜନୀତିରେ ଉଠିଛି ଅନେକ ପ୍ରଶ୍ନ। ଏହା କ’ଣ ସତରେ ଚାଷୀଙ୍କ ଲୁହ ପୋଛିବାର ପ୍ରୟାସ, ନା ଆସନ୍ତା ରାଜନୈତିକ ସମୀକରଣରେ ନିଜ ଜାଗା ଖୋଜିବାର ଏକ ସୁଚତୁର କୌଶଳ? ବର୍ଷା ଆସିଲା, ଚାଷୀଙ୍କ ଜମି ବୁଡ଼ିଲା ଆଉ ତା’ ସହିତ ହଠାତ୍ ଜାଗିଉଠିଲା ରାଜନୈତିକ ସମ୍ବେଦନଶୀଳତା। ଫଳରେ ଲୋକଙ୍କ ମଧ୍ୟରେ ଏବେ ଚର୍ଚ୍ଚା—ଏହା ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା, ନା ଚୌଦ୍ୱାର ରାଜନୀତିରେ ନିଜର ପ୍ରଭାବ ଦେଖାଇବାର ଆଉ ଏକ ଅଭ୍ୟାସ? ଯଦି ଉଦ୍ଦେଶ୍ୟ ବିଜେଡି ସଂଗଠନକୁ ଚୌଦ୍ୱାରରେ ସୁଦୃଢ଼ କରିବା, ତେବେ ପ୍ରଶ୍ନ ଉଠୁଛି—ଯେଉଁ ପଞ୍ଚାୟତଗୁଡ଼ିକରେ ଦଳୀୟ ଭିତ୍ତି ଓ ସ୍ଥାନୀୟ ପ୍ରତିନିଧିତ୍ୱ ରହିଛି, ସେଠାରେ ପୁଣି ନୂଆ କରି ରାଜନୈତିକ ଚାଷ କରିବାର ଆବଶ୍ୟକତା କାହିଁକି? ଆଉ ଯଦି ଚାଷୀଙ୍କ ଦୁଃଖ ହିଁ ମୁଖ୍ୟ ପ୍ରସଙ୍ଗ, ତେବେ ୨୪ ବର୍ଷର ଦୀର୍ଘ ଶାସନକାଳରେ ଚାଷୀଙ୍କ ସମସ୍ୟା ଉପରେ ସେହି ସମ୍ବେଦନଶୀଳତା କେଉଁଠି ଥିଲା? ନିର୍ବାଚନ ଆସିଲେ ଚାଷୀଙ୍କ ନାଁରେ ରାଜନୈତିକ ଭାଷଣ ଓ ନିର୍ବାଚନ ସରିଗଲେ ଚାଷୀଙ୍କ ଦୁଃଖ ପୁଣି ଫାଇଲ ତଳେ—ଏହି ପୁରୁଣା ରାଜନୈତିକ ପରମ୍ପରାକୁ ନେଇ ଲୋକଙ୍କ ମଧ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ, ଚୌଦ୍ୱାରରେ ବିଜେଡିର ପୁରୁଣା ଦୁର୍ଗକୁ ନେଇ ଦଳ ଭିତରେ ଯେତିକି ଆତ୍ମବିଶ୍ୱାସ, ବାହାରେ ସେତିକି ପ୍ରଶ୍ନଚିହ୍ନ। ଶାସକ ଦଳରେ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଯୋଗଦାନ ପରେ ରାଜନୈତିକ ସମୀକରଣ ବଦଳୁଥିବା ଚର୍ଚ୍ଚା ମଧ୍ୟରେ ପ୍ରତାପ-ପ୍ରଶାନ୍ତଙ୍କ ଚୌଦ୍ୱାର ଗସ୍ତକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଅର୍ଥ ବାହାରୁଛି। ସବୁଠାରୁ ରୋଚକ କଥା ହେଉଛି—ଯେଉଁ ପ୍ରଶାନ୍ତ ବେହେରା ସାଲେପୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧି, ସେହି ନିର୍ବାଚନ ମଣ୍ଡଳୀ ଅଧୀନ ଟାଙ୍ଗୀ-ଚୌଦ୍ୱାର ବ୍ଲକର ୧୩ଟି ପଞ୍ଚାୟତର ଚାଷୀ, ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ଅନେକ ସମସ୍ୟା ନେଇ ଅଭିଯୋଗ ରହିଥିବା ବେଳେ, ସେଗୁଡ଼ିକର ସମାଧାନ ପୂର୍ବରୁ ଚୌଦ୍ୱାର-କଟକର ରାଜନୈତିକ ମାଟି ମାପିବାକୁ ଆସିବାକୁ ନେଇ ଲୋକେ ଏବେ ପ୍ରଶ୍ନ କରୁଛନ୍ତି। ସେଥିପାଇଁ ଚୌଦ୍ୱାରରେ ଏବେ ଗୋଟିଏ କଥା ବେଶ୍ ଚର୍ଚ୍ଚାରେ—“ନିଜ ଘରେ ପାଣି ଆଣ୍ଠୁଏ, ପର ଘରେ ବନ୍ଧ ବାନ୍ଧିବାକୁ ଯାଉଛି କିଏ?” ତେବେ ଚୌଦ୍ୱାର-କଟକର ରାଜନୈତିକ ମାଟିରେ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୁରୁଣା ସଂଗଠନ ଏବଂ ବର୍ତ୍ତମାନର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ତୃଣମୂଳସ୍ତରୀୟ ଉପସ୍ଥିତି ମଧ୍ୟରେ ବାହାରୁ ଆସୁଥିବା ନେତାଙ୍କ ରାଜନୈତିକ ହସ୍ତକ୍ଷେପ କେତେ ପ୍ରଭାବ ପକାଇବ, ତାହା ଆଗାମୀ ଦିନ ହିଁ ସ୍ପଷ୍ଟ କରିବ। ଏବେ ପ୍ରଶ୍ନ ଗୋଟିଏ—ଚାଷୀଙ୍କ ଦୁଃଖ ଦେଖି ଏହି ରାଜନୈତିକ ଦରଦ, ନା ଚୌଦ୍ୱାରରେ ନିଜର ରାଜନୈତିକ ଠିକଣା ଖୋଜିବାର ନୂଆ ଅଭିଯାନ? ବର୍ଷା ଥମିଯିବ, ପାଣି ମଧ୍ୟ ଖସିଯିବ, କିନ୍ତୁ ଏହି ଗସ୍ତ ପଛର ରାଜନୈତିକ ଉଦ୍ଦେଶ୍ୟର ପାଣି କେଉଁ ଦିଗକୁ ବହୁଛି ସେଥିପାଇଁ ଚୌଦ୍ୱାରବାସୀଙ୍କ ନଜର ଏବେ ଆଗାମୀ ରାଜନୈତିକ ଚାଲ ଉପରେ।