
ଚୌଦ୍ଵାର (ଶିବବ୍ରତ ଦାସ ): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କରଞ୍ଜି ପଞ୍ଚାୟତ ଗୋଡ଼ଧୁଆ ଗ୍ରାମରେ ଏବେ ଜଙ୍ଗଲି ହାତୀକୁ ନେଇ ଭୟର ବାତାବରଣ। ତିନିଦିନ ଧରି ଗାଁ ନିକଟରେ ଜଙ୍ଗଲି ହାତୀ ବୁଲୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ବିଶେଷକରି ଏହି ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ଗ୍ରାମବାସୀଙ୍କ ଚିନ୍ତା ଆହୁରି ବଢ଼ିଯାଇଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ହାତୀ ଗାଁରେ ପଶି ମାକା ସୁଣ୍ଡି ଓ ଗଣେଶ ହେମ୍ବ୍ରମଙ୍କ ଚାଳଛପର ଘର ଭାଙ୍ଗି ଦେଇଛି। ଘର ଭାଙ୍ଗିଯିବା ପରେ ଲଗାଣ ବର୍ଷା ଯୋଗୁଁ ପରିବାର ଦୁଇଟି ଆହୁରି ଦୁର୍ଦ୍ଦଶାରେ ପଡ଼ିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ତା’ଉପରେ ବର୍ଷାର ଦାଉ—ଏଭଳି ସ୍ଥିତିରେ ଅସହାୟ ହୋଇପଡ଼ିଛନ୍ତି ପରିବାର। ଅନ୍ୟପଟେ ତିନିଦିନ ଧରି ହାତୀ ଅଞ୍ଚଳରେ ରହିଥିବା ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଉନଥିବା ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ହାତୀକୁ ନେଇ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ଥିବାରୁ ଗ୍ରାମବାସୀ ଏବେ ଭୟଭୀତ।ଗ୍ରାମବାସୀଙ୍କ ଦାବି, ତୁରନ୍ତ ବନ ବିଭାଗର ଟିମ୍ ଗାଁରେ ପହଞ୍ଚି ହାତୀକୁ ସୁରକ୍ଷିତ ଭାବେ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉ। ଯେପରି ଆଗକୁ କୌଣସି ଅଘଟଣ ନଘଟେ, ସେଥିପାଇଁ ବନ ବିଭାଗ ପକ୍ଷରୁ ସ୍ଥାୟୀ ଓ ପ୍ରଭାବୀ ବ୍ୟବସ୍ଥା କରାଯିବା ଆବଶ୍ୟକ।