ଟୋଲ୍ ଅଧିକାରୀଙ୍କ ‘ଧୃତରାଷ୍ଟ୍ର’ ଭୂମିକା, ସବୁ ଦେଖି ଚୁପ୍ କାହିଁକି?

ଚୌଦ୍ଵାର (ଶିବବ୍ରତ ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବନ୍ଦାଳ ଟୋଲ୍ ଗେଟ୍‌ରେ ଏବେ ନିୟମ ଯେମିତି ଗୋଟିଏ, ବ୍ୟବହାର ଯେମିତି ଆଉ ଗୋଟିଏ! ଟୋଲ୍ ପ୍ଲାଜା ନିର୍ମାଣ ପୂର୍ବରୁ ରାସ୍ତା ପାର୍ଶ୍ୱରେ କିଛି ସ୍ଥାନୀୟ ବ୍ୟବସାୟୀ ଚା, ପାନ ଓ ଜଳଖିଆ ବିକ୍ରି କରି ଆସୁଥିଲେ। ଦୂରଦୂରାନ୍ତରୁ ଆସୁଥିବା ଗାଡ଼ି ଚାଳକମାନେ ମଧ୍ୟ ସେଠାରେ କିଛି ସମୟ ରହି ଚା-ପାଣି କରି ନିଜ ଯାତ୍ରା ଜାରି ରଖୁଥିଲେ। କିନ୍ତୁ ଟୋଲ୍ ପ୍ଲାଜା ନିର୍ମାଣର କିଛିବର୍ଷ ପରେ ବଦଳିଗଲା ଚିତ୍ର। ପୁରୁଣା ବ୍ୟବସାୟୀଙ୍କ କେବିନ୍ ହଟାଇ ଟୋଲ୍ ଗେଟ୍‌ର ଉଭୟ ପାର୍ଶ୍ୱରେ ନିର୍ମାଣ ହେଲା ଟି-ଷ୍ଟଲ୍। ଏଠାରୁ ଆରମ୍ଭ ହେଲା ଅସଲ ଖେଳ! ଅଭିଯୋଗ ହେଉଛି, ଟୋଲ୍ ପ୍ଲାଜାର ଜଣେ କର୍ମଚାରୀଙ୍କ ମାଧ୍ୟମରେ ହାତଗୁଞ୍ଜା ନେଇ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଏହି ଟି-ଷ୍ଟଲ୍ ଚଳାଇବାକୁ ଦିଆଯାଇଛି।ଫଳରେ ବର୍ଷ ବର୍ଷ ଧରି ଏଠାରେ ବ୍ୟବସାୟ କରିଆସୁଥିବା ଅନ୍ୟ ବ୍ୟବସାୟୀମାନେ ଏବେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଆଉ ଯେଉଁ ଷ୍ଟଲ୍‌ର ନାଁ ‘ଟି-ଷ୍ଟଲ୍’, ସେଠାରେ ଚା ସାଙ୍ଗକୁ ଥଣ୍ଡା ପାନୀୟ ବିକ୍ରି କରିବାର ନିୟମ ଥିବା କୁହାଯାଉଛି। ହେଲେ ନିୟମକୁ ଯେମିତି ଦିଆଯାଇଛି ‘ଛୁଟି’! ଷ୍ଟଲ୍‌ ନିକଟରେ କିଛି ଅଂଶ ଆବୃତ କରି ଖୋଲାଖୋଲି ଭାବେ ବିରିୟାନି ବିକ୍ରି ହେଉଥିବା ଅଭିଯୋଗ ଉଠିଛି। ତେବେ ‘ଟି’-ଷ୍ଟଲ୍‌ରେ ବିରିୟାନି ବିକ୍ରି ପାଇଁ ଅନୁମତି ଦେଲା କିଏ? ଟେଣ୍ଡର କିମ୍ବା ଲାଇସେନ୍ସରେ ବିରିୟାନି ବିକ୍ରିର ବ୍ୟବସ୍ଥା ଅଛି କି? ଯଦି ଅଛି ତେବେ ଉକ୍ତ ଅନୁମତି ପତ୍ରର ଏକ ନକଲ ଷ୍ଟଲ୍ ରେ ଲଗା ଯାଉନାହିଁ କାହିଁକି? ଯଦି ନାହିଁ, ତେବେ ନିୟମ ଭାଙ୍ଗି ବ୍ୟବସାୟ ଚାଲିଥିବା ବେଳେ ଟୋଲ୍ କର୍ତ୍ତୃପକ୍ଷଙ୍କ ନଜର କାହିଁକି ପଡ଼ୁନାହିଁ? ସାଧାରଣ ବ୍ୟବସାୟୀଙ୍କ ପାଇଁ ଯଦି ନିୟମ ଏତେ କଡ଼ା, ତେବେ ଟୋଲ୍ ପ୍ଲାଜାର ନିଜସ୍ୱ ଷ୍ଟଲ୍ ପାଇଁ ନିୟମ କଣ ଅଲଗା? ନା ଏଠାରେ ନିୟମ ମଧ୍ୟ ଦେଖେ ‘କିଏ ନିଜ ଲୋକ’ ଆଉ କିଏ ନୁହେଁ? ସବୁକିଛି ଜଣା ଥିବା ସତ୍ତ୍ୱେ ଯଦି କର୍ତ୍ତୃପକ୍ଷ ନିରବ ରହନ୍ତି, ତେବେ ଏହାକୁ କ’ଣ କୁହାଯିବ? ନିୟମର ପାଳନ, ନା ନିୟମକୁ ନେଇ ନୀରବ ସମ୍ମତି? କିନ୍ତୁ ଅନ୍ୟ ବ୍ୟବସାୟୀଙ୍କ ମନରେ ପ୍ରଶ୍ନ ଉଠୁଛି—ଟୋଲ୍ ଗେଟ୍‌ରେ ଗାଡ଼ିର ନମ୍ବର ପ୍ଲେଟ୍‌ଠାରୁ ନେଇ ନିୟମ ପର୍ଯ୍ୟନ୍ତ ସବୁକିଛି ଯଦି ନଜରରେ ରହେ, ତେବେ ଟି-ଷ୍ଟଲ୍‌ରେ ଚା ସହ ବିରିୟାନି ବିକ୍ରି ହେଉଥିବା ଦୃଶ୍ୟ ଅଧିକାରୀଙ୍କ ଆଖିରେ କାହିଁକି ପଡ଼ୁନାହିଁ? ଏବେ ଅଞ୍ଚଳବାସୀ ଓ ବ୍ୟବସାୟୀଙ୍କ ଦାବି—ପ୍ଲାଜା ପକ୍ଷରୁ ଟି-ଷ୍ଟଲ୍ ଆଲଟମେଣ୍ଟର ନିୟମ, ଲାଇସେନ୍ସ ସର୍ତ୍ତ ଏବଂ ବିରିୟାନି ବିକ୍ରି ପାଇଁ ଅନୁମତି ଅଛି କି ନାହିଁ, ତାହା ସାର୍ବଜନୀନ କରାଯାଉ। ନଚେତ୍ ‘ନିୟମ ସମସ୍ତଙ୍କ ପାଇଁ ସମାନ’ ବୋଲି କୁହାଯାଉଥିବା କଥାଟି କେବଳ ଟୋଲ୍ ଆଦାୟ ବେଳେ ମନେ ପଡ଼େ ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ହୋଇ ରହିଯିବ।