କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର, ଶିକ୍ଷା ବିଭାଗର ପଦକ୍ଷେପକୁ ନେଇ ଚର୍ଚ୍ଚା

କେସିଙ୍ଗା, ୧୩/୦୮ (ପର୍ଶୁରାମ ସିନ୍ଦୁର, କଳାହାଣ୍ଡି ଜିଲ୍ଲା ପ୍ରତିନିଧି) : ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଦୀର୍ଘବର୍ଷ ଧରି ବିଭିନ୍ନ ସ୍କୁଲରେ ଶିକ୍ଷକ ଅଭାବ ଦେଖିବାକୁ ମିଳୁଛି। କେତେକ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ଥିବାବେଳେ, ଅନ୍ୟ କେତେକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ପଦବୀ ଖାଲି ପଡ଼ିଛି। ଏଭଳି ସ୍ଥିତିରେ କେସିଙ୍ଗା ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ନେଇ କିଛି ମୁଷ୍ଟିମେୟ ବ୍ୟକ୍ତି ଅପପ୍ରଚାର କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି କିଛିଦିନ ତଳେ ଦେଣ୍ଡୋଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଏବଂ ତାଙ୍କ ମେଡିକାଲ ସମସ୍ୟାକୁ ନଜରରେ ରଖି କେସିଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଥିଲା ପ୍ରକାଶଥାଉକି, କେସିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଖପର ଘରେ ଶିକ୍ଷାଦାନ ଚାଲୁଥିଲା। ଏନେଇ ବିଭିନ୍ନ ସମୟରେ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ କେସିଙ୍ଗାର ବିଶିଷ୍ଟ ବ୍ୟକ୍ତିଙ୍କ ଅବଦାନ ସହ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଗୃହ ନିର୍ମାଣ କରାଯାଇଛି। ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟକୁ ଚୟନ କରାଯାଇ ଗୁଣାତ୍ମକ ଶିକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମି, ଭୌତିକ ପରିବେଶ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବ୍ୟବସ୍ଥା କରାଯାଇଛି। ତେବେ କିଛି ବ୍ୟକ୍ତି ସରକାରଙ୍କ ଏହି ପଦକ୍ଷେପକୁ ବାଧା ଦେବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶିକ୍ଷକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ବିରୋଧ ପ୍ରକାଶ ପାଇଛି। ଯେଉଁ ବିଦ୍ୟାଳୟରେ ଶିକ୍ଷକ କମ୍‌ ରହିଛନ୍ତି, ସେଠାକୁ ଅଧିକ ଶିକ୍ଷକ ଥିବା ବିଦ୍ୟାଳୟରୁ ଶିକ୍ଷକ ଆଣି ଶିକ୍ଷା ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ଶିକ୍ଷା ବିଭାଗ ପଦକ୍ଷେପ ନେଉଛି। ଏହା ମଧ୍ୟରେ କିଛି ବ୍ୟକ୍ତି ଗାଁ ଲୋକଙ୍କୁ ବୁଝାଇ ସ୍କୁଲ ବନ୍ଦ କରିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରଭାବରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ମତ ପ୍ରକାଶ ପାଇଛି।ଶିକ୍ଷା ବିଭାଗର ସ୍ଥିରୀକୃତ ଯୋଜନା କୁ ବିରୁଦ୍ଧାଚରଣ କରାଯାଇ ଉଚ୍ଚ ଅଧିକାରୀ ଙ୍କୁ ଅବମାନନା କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଶିକ୍ଷା ବ୍ୟବସ୍ଥାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ସମସ୍ତ ପକ୍ଷ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।