ବାଧ୍ୟତା ମୂଳକ E20 ପ୍ରେଟ୍ରୋଲକୁ ନେଇ ଭୁବନେଶ୍ୱରରେ ଟାଉନ୍ ହଲ୍ ସଚେତନତା ବୈଠକ

ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ): E20 ପେଟ୍ରୋଲ୍‌ର ବ୍ୟବହାର ଦ୍ୱାରା ଗାଡ଼ି, ଉପଭୋକ୍ତା ଏବଂ ସାଧାରଣ ଲୋକଙ୍କ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଓ ଜନମତକୁ ସଂଗଠିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ଏକ ଟାଉନ୍ ହଲ୍ ବୈଠକ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜନିୟରସ ଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ପେଟ୍ରୋଲ ଚାଳିତ ବାହନ ମାଲିକ ଏବଂ ଉପଭୋକ୍ତା, ଅଟୋମୋବାଇଲ୍ ବିଶେଷଜ୍ଞ, ଯୁବ,ଛାତ୍ର, ପରିବହନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି,ସାମାଜିକ କର୍ମୀ ଏବଂ ବିଭିନ୍ନ ବର୍ଗର ସାଧାରଣ ଜନତା ଏକ ଖୋଲା ଆଲୋଚନା ମାଧ୍ୟମରେ E 20 ବ୍ୟବହାରକୁ ନେଇ ସେମାନଙ୍କର ପ୍ରତ୍ୟକ୍ଷ ଅନୁଭୂତ ମତାମତ ଉପସ୍ଥାପନ କରିଥିଲେ।
ଏହି ବୈଠକରେ E20 ପେଟ୍ରୋଲ୍‌ ଦ୍ବାରା କିଭଳି ଗାଡ଼ିର ଇନ୍ଧନ ଦୂରତ୍ବ ଓ ଇଞ୍ଜିନ୍ କାର୍ଯ୍ୟଦକ୍ଷତା ଉପରେ ସିଧାସଳଖ ପ୍ରଭାବ ପଡ଼ୁଛି ସେଥିନେଇ ଅଂଶଗ୍ରହଣକାରୀ ସଦସ୍ୟ ମାନେ ଗୁରୁତ୍ଵ ଆରୋପ କରିଥିଲେ। ୨୦୨୩ ମସିହା ପୂର୍ବର ଗାଡ଼ି ଗୁଡ଼ିକ ଇଥାନଲ୍ ଅନୁକୂଳ ହୋଇ ନ ଥିବାରୁ ତାହାର ସୁରକ୍ଷା ସମ୍ପର୍କରେ ସରକାରଙ୍କର କୌଣସି ସ୍ପଷ୍ଟ ଦିଗଦର୍ଶନ ନ ଥିବାରୁ ଆଲୋଚନାକାରୀମାନେ ସଂଶୟ ଓ ଆଶଙ୍କା ପ୍ରକଟ କରିଥିଲେ। ଅନେକ ସମୟରେ ଗାଡ଼ି ଗୁଡ଼ିକ ବାରମ୍ବାର ଖରାପ ହୋଇ ମଝି ରାସ୍ତାରେ ଅଟକି ଯାଉଥିବା ଯୋଗୁଁ E20 ପେଟ୍ରୋଲ ଉପଭୋକ୍ତାକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାରୁ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବାରମ୍ବାର ଗାଡ଼ି ଗ୍ୟାରେଜକୁ ଦୌଡ଼ି ନୟାନ୍ତ ହେବାକୁ ବାଧ୍ୟ ହେଉଥିବାରୁ ସେମାନଙ୍କର ବହୁମୂଲ୍ୟ ସମୟ ନଷ୍ଟ ହେଉଥିବାର ଏହି ବୈଠକରେ ଉପସ୍ଥିତ ଅଂଶଗ୍ରହକାରୀମାନେ ଅଭିଯୋଗ କରିଥିଲେ। ରାସ୍ତାରେ ଗଡୁଥିବା ସିଂହ ଭାଗ ଗାଡ଼ି ଗୁଡ଼ିକ ୨୦% ଇଥାନଲ୍ ମିଶ୍ରିତ ପେଟ୍ରୋଲ ଅନୁକୂଳ ହୋଇ ନଥିବାରୁ ଇନ୍ଧନ ଦୂରତ୍ବ କମିବା ସହ ଗାଡିର ଯନ୍ତ୍ରାଂଶ ଖରାପ ହେବା, ଇଞ୍ଜିନ ଖରାପ ହେବା ଯୋଗୁଁ ଉପଭୋକ୍ତାକାରୀଙ୍କୁ ଅଯଥା ଆର୍ଥିକ ବୋଝର ଶୀକାର ହେଉଥିବା ଘଟଣାକୁ ଆଲୋଚନାକାରୀମାନେ ଆଲୋକପାତ କରିଥିଲେ। ଉପଭୋକ୍ତା ମାନେ ଏହି ଆଲୋଚନାରେ ସର୍ବସମ୍ମତି କ୍ରମେ ସେମାନଙ୍କୁ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ କମ୍ ଦରରେ ଶୁଦ୍ଧ ପେଟ୍ରୋଲ ଉପଲବ୍ଧ କରିବା ନିମନ୍ତେ ପେଟ୍ରୋଲିୟମ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ଖୋଲା ଆଲୋଚନାରେ ଭୁବନେଶ୍ୱର ତଥା ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅନ୍ ଲାଇନ୍ ମାଧ୍ୟମରେ ଅସଂଖ୍ୟ ଜନସାଧାରଣ ଯୋଗଦଇ ଏହି E20 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ସଫଳ କରାଇଥିଲେl ଏହି ଟାଉନ୍ ହଲ୍ ବୈଠକରେ ଶ୍ରୀ ନିଶିକାନ୍ତ ମହାପାତ୍ର, ଶ୍ରୀ ପ୍ରଫୁଲ୍ଲ ସାମନ୍ତରା, ଶ୍ରୀ ମନ୍ମଥ ରାଉତରାୟ, ଶ୍ରୀ ବାସୁଦେବ ଭଟ୍ଟ, ଶ୍ରୀ ଗିରିଜା ଶଙ୍କର ଦାଶ ଓ ବିଭିନ୍ନ ଗ୍ୟାରେଜ ମାଲିକ,E20 ପେଟ୍ରୋଲ ଉପଭୋକ୍ତାପ୍ରମୁଖ ଭାଗ ନେଇ ସେମାନଙ୍କର ନିରପେକ୍ଷ ମତ ରଖିଥିଲେ। ସରକାର ବିଭିନ୍ନ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଜନହିତକୁ ପ୍ରାଧାନ୍ୟ ଦେଇ ସମାଧାନର ପନ୍ଥା ବାହାର କରିବାକୁ ସର୍ସମ୍ମତିକ୍ରମେ ଏହି ଟାଉନ୍ ହଲ୍ ବୈଠକରେ ନିଷ୍ପତ୍ତି ଗୃହୀତ ହୋଇଥିଲା।