
ଭଞ୍ଜନଗର ୧୭/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ୨୦୧୪ ମସିହାର ଏକ ମାମଲାରେ ଭଞ୍ଜନଗର ଉପଖଣ୍ଡୀୟ ନ୍ୟାୟିକ ମାଜିଷ୍ଟ୍ରେଟ୍ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇଛି। ଅଦାଲତଙ୍କ ରାୟ ଅନୁସାରେ, ତନରଡ଼ା ଅଞ୍ଚଳର ମିନତୀ ପାତ୍ରଙ୍କୁ ଭାରତୀୟ ଦଣ୍ଡ ସଂହିତାର ୪୫୨ ଓ ୩୨୩ ଧାରାରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ମାମଲାର ବିବରଣୀ ଅନୁସାରେ, ୨୦୧୪ ମସିହା ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୮ଟା ସମୟରେ ତନରଡ଼ାରେ ଅଭିଯୋଗକାରୀ ପୁଷ୍ପାଞ୍ଜଳି ପୋଲେଇଙ୍କ ଘରେ ଅନଧିକୃତ ଭାବେ ପ୍ରବେଶ କରି ତାଙ୍କୁ ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଲୁହା ଟାଙ୍ଗିଆରେ ଆକ୍ରମଣ କରି ଆହତ କରାଯାଇଥିବା ନେଇ ମଧ୍ୟ ମାମଲା ରୁଜୁ ହୋଇଥିଲା।
ଏହି ମାମଲାରେ ମିନତୀ ପାତ୍ରଙ୍କ ସହ ଜମ୍ଭୁ ପାତ୍ର ମଧ୍ୟ ଅଭିଯୁକ୍ତ ଥିଲେ। ତେବେ ଜମ୍ଭୁ ପାତ୍ରଙ୍କ ବିରୋଧରେ ଚାଲିଥିବା ମାମଲା ୨୫ ଫେବୃଆରୀ ୨୦୨୬ରେ ଅବେଟ୍ ହୋଇଥିବାରୁ, ଏହି ମାମଲା କେବଳ ମିନତୀ ପାତ୍ରଙ୍କ ବିରୋଧରେ ଚାଲିଥିଲା।
ଦୀର୍ଘ ଆଇନଗତ ପ୍ରକ୍ରିୟା ପରେ, ୧୭ ଅଗଷ୍ଟ ୨୦୨୬ରେ ଭଞ୍ଜନଗର SDJM ସୌମ୍ୟ ରଞ୍ଜନ ପୃଷ୍ଟିଙ୍କ ଅଦାଲତ ରାୟ ପ୍ରକାଶ କରିଛନ୍ତି।
IPC ଧାରା ୪୫୨ ଅନୁଯାୟୀ ଦୋଷୀଙ୍କୁ ୩ ମାସର ସରଳ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଏବଂ IPC ଧାରା ୩୨୩ ଅନୁଯାୟୀ ୩ ମାସର ସରଳ କାରାଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦାୟ କଲେ ପ୍ରତ୍ୟେକ ଧାରାରେ ଅତିରିକ୍ତ ୧ ମାସର ସରଳ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।
ତେବେ ଉଭୟ ଧାରାର ଦଣ୍ଡାଦେଶ ଏକାସାଙ୍ଗରେ ଚାଲିବ ଏବଂ ପୂର୍ବରୁ ଭୋଗିଥିବା ହାଜତ ଅବଧିକୁ ବର୍ତ୍ତମାନର ଦଣ୍ଡରେ ସମନ୍ୱୟ କରାଯିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
ଏହି ମାମଲାରେ କୌଣସି ସାମଗ୍ରୀ ଜବତ ହୋଇନଥିବାରୁ ସମ୍ପତ୍ତି ନିଷ୍ପତ୍ତି ସମ୍ପର୍କରେ କୌଣସି ଆଦେଶ ଦିଆଯାଇନାହିଁ। ରାୟର ଶେଷରେ ମାମଲାକୁ “Mistake of Fact” ଭାବେ ଲିପିବଦ୍ଧ କରିବାକୁ ମଧ୍ୟ ଉଲ୍ଲେଖ କରାଯାଇଛି।
ମାମଲାଟିରେ ସରକାରଙ୍କ ପକ୍ଷରୁ Assistant Public Prosecutor ଶ୍ରୀ ବିଜୟ କୁମାର ଗୌଡ଼ ମାମଲା ପରିଚାଳନା କରିଥିବା ବେଳେ, ଅଭିଯୁକ୍ତ ମିନତୀ ପାତ୍ରଙ୍କ ପକ୍ଷରୁ ଶ୍ରୀ ପୀତାବାସ ବିଶୋୟୀ ଓ ତାଙ୍କ ସହଯୋଗୀ ଆଇନଜୀବୀମାନେ ମାମଲା ପରିଚାଳନା କରିଥିଲେ।