ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଦୁଇ ଗିରଫ, ବନ୍ଧୁକ ଜବତ

ଭଞ୍ଜନଗର ୧୭/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ):ଗଞ୍ଜାମ ଜିଲ୍ଲା ତାରସିଂ ପୁଲିସ କୁ ମିଳିଲା ବଡ ସଫଳତା। ରାତିରେ ପେଟ୍ରୋଲିଂ କରୁଥିବା ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ଧରି ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ଦୁଇ ଜଣକୁ ଗିରଫ କରିଛି।ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ,ଗୋଟିଏ ଖଣ୍ଡା, ଦୁଇଟି ମୋବାଇଲ ଫୋନ, ଗୋଟିଏ ବାଇକ୍ ଜବତ ହୋଇଛି। ଏହାସହ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ହାତିଗୁଡା ଗ୍ରାମର ମୁନା ଗନ୍ତାୟତ (୨୮), ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା କୟାଣ୍ଡିହାର ମଦନ ମାଝୀ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନାନୁସାରେ, ରବିବାର ପ୍ରାୟ ରାତି ୧୨.୦୦ ସମୟରେ ତାରାସିଂ ଥାନାର ଇନ୍ସପେକ୍ଟର ଏ.କେ. ପ୍ରଧାନ ଥାନା କର୍ମଚାରୀଙ୍କ ସହ ମିଶି ଗାଲେରୀ, ବ୍ରାହ୍ମଣପଦର, ବଦାଙ୍ଗି ଏବଂ ଏହାର ଆଖପାଖ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ଓ ୱାରେଣ୍ଟ ଚଢ଼ଉ କରୁଥିଲେ। ପାଟ୍ରୋଲିଂ ସମୟରେ ଭୋର୍ ପ୍ରାୟ ୦୧.୦୦ ସମୟରେ ସେମାନେ ଏକ ନିର୍ଭରଯୋଗ୍ୟ ସୂଚନା ପାଇଲେ ଯେ ଭଞ୍ଜନଗର ଥାନା ଅଞ୍ଚଳର ମୁନା ଗନ୍ତାୟତ ଓ ନୟାଗଡ ଦଶପଲ୍ଲା ଥାନା ଅଞ୍ଚଳର ମୋଦନ ମାଝୀ ଗ୍ୟାଲେରୀ ଓ ଢେପାସାହି ମଧ୍ୟରେ ଥିବା ମୁଖ୍ୟ ରାସ୍ତାରେ ମା’ ବ୍ରାହ୍ମଣୀଦେବୀ ମନ୍ଦିର ନିକଟରେ ବେଆଇନ ଅସ୍ତ୍ରଶସ୍ତ୍ର ଧରି ସନ୍ଦେହଜନକ ଭାବେ ବୁଲୁଥିଲେ। ଏହି ସୂଚନା ପାଇବା ମାତ୍ରେ, ସେ (ପୋଲିସ୍ ଅଧିକାରୀ) ନିଜ ସହଯୋଗୀ ପୋଲିସ୍ କର୍ମଚାରୀଙ୍କ ସହ ତୁରନ୍ତ ଘଟଣାସ୍ଥଳ ଅଭିମୁଖେ ଯାଇଥିଲେ ଏବଂ ଭୋର୍ ପ୍ରାୟ ୧:୩୦ ସମୟରେ ସେଠାରେ ପହଞ୍ଚିଥିଲେ। ସେମାନେ ସେଠାରେ ଚଢ଼ଉ କରି ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରିବା ସହ ଗୋଟିଏ ଦେଶୀ ତିଆରି ସିଙ୍ଗଲ୍-ଶଟ୍ ବନ୍ଧୁକ, ଗୋଟିଏ ଲୁହା ଖଣ୍ଡା,ଦୁଇଟି ମୋବାଇଲ୍ ଫୋନ୍ ସହ ଗୋଟିଏ ନାଲି ରଙ୍ଗର ପଲସର୍ ଜବତ କରାଯାଇଛି।