ଆଜି କୋର୍ଟରେ ହାଜର ହେବେ ବିଜେଡି ନେତା ସୌମ୍ୟ ଶଙ୍କର ଓରଫ ରାଜା ଚକ୍ର, ରିମାଣ୍ଡରେ ଆଣିବ ଇଓଡବ୍ଲ୍ୟୁ

କଟକ/କେନ୍ଦୁଝର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ଗିରଫ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଆଜି ବାଲେଶ୍ବର କୋର୍ଟରେ ହାଜର କରିବ। ଏହାପରେ ତାଙ୍କୁ ଇଓଡବ୍ଲ୍ୟୁ ରିମାଣ୍ଡରେ ଆଣିବା ଲାଗି କୋର୍ଟରେ ଆବେଦନ କରାଯିବା ନେଇ ସୂଚନା ରହିଛି।ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଗିରଫ ସଂଖ୍ୟା ୩ରେ ପହଞ୍ଚିଛି। ରାଜା ଚକ୍ରଙ୍କର ୪୨ଟି ଗାଡ଼ି, ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଜବତ ହେବା ସହିତ ଏକାଧିକ ଆକାଉଣ୍ଟକୁ ମଧ୍ୟ ଅଚଳ କରି ଦିଆଯାଇଛି। କ୍ରାଇମବ୍ରାଞ୍ଚ ହାତରେ ଏବେ ସୁଦ୍ଧା ୪୫ କୋଟି ଟଙ୍କା ଠକେଇର ପ୍ରମାଣ ମିଳିସାରିଛି। ଆହୁରି ୭୪ କୋଟି ଟଙ୍କାର ଠକେଇ ଯାଞ୍ଚ କରାଯାଉଛି। ୨୦୧୨-୧୩ ପରଠାରୁ ଏଜେନ୍ସିର ଅଡିଟ୍ ହୋଇନାହିଁ। ଏହାକୁ ଅଡିଟ୍ କରି କେଳେଙ୍କାରୀ ସମ୍ପର୍କିତ ପ୍ରମାଣ ଯୋଗାଡ଼ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।ଏଜେନ୍ସିର ୩୩ କୋଟି ଟଙ୍କା କେବଳ ରାଜନୈତିକ ଏବଂ ପ୍ରଭାବ ବିସ୍ତାର କରିବାକୁ ଖର୍ଚ୍ଚ କରାଯାଇଛି। ଯେତେବେଳେ କୌଣସି ସମସ୍ୟା ପ୍ରସଙ୍ଗ ଉଠିଥାଏ, ସେତେବେଳେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ରାଜା ଚକ୍ରଙ୍କୁ ସମର୍ଥନ ଦେବାରେ ଏହି ଅର୍ଥ ଖର୍ଚ୍ଚ କରାଯାଇଥାଏ। ସେମିତି ପାଖାପାଖି ୭୪ କୋଟି ଟଙ୍କା ଶ୍ରମିକଙ୍କ ଦେୟ ଓ ଲୋଡିଂ ଖର୍ଚ୍ଚ ବାବଦରେ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାର କୌଣସି ଠିକ୍ ହିସାବ ନାହିଁ। ତେଣୁ ପରବର୍ତ୍ତୀ ସମୟରେ ଏହାର ଅଡିଟ୍ କରାଯାଇ ତଥ୍ୟ ସଂଗ୍ରହ କରାଯିବ ବୋଲି ଇଓଡବ୍ଲ୍ୟ ସୂଚନା ଦେଇଛି। ଯଦିଓ ରାଜା ଚକ୍ର ଏଜେନ୍ସି ସହିତ ସଂପୃକ୍ତ ନ ଥିଲେ, ମାତ୍ର ତାଙ୍କ ଇସାରାରେ ହିଁ ଏଜେନ୍ସି ଚାଲୁଥିଲା। ଏଥିରେ ତାଙ୍କୁ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା ଓ ସଦାଶିବ ସାମଲ ସହଯୋଗ କରୁଥିଲେ। ସେହିପରି ରାଜାଙ୍କ ନାମରେ ଥିବା ତିନୋଟି ସଂସ୍ଥା ଶଙ୍କର ମିନେରାଲ୍ସ, ଶଙ୍କର ରୋଡ୍ୱେଜ୍ ଏବଂ ଶଙ୍କର ପ୍ରୋଜେକ୍ଟ ନାମରେ ବ୍ୟବସାୟ କରାଯାଉଥିଲେ ମଧ୍ୟ ଏହି ଅର୍ଥ ଏଥିରେ ଲାଗିଥିବା ଇଓଡବ୍ଲ୍ୟୁ ସନ୍ଦେହ କରୁଛି। ତଦନ୍ତ ବେଳେ ବିଭିନ୍ନପ୍ରକାର ଗାଡ଼ି ଓ ମେସିନ୍ ଜବତ ହୋଇଥିବାବେଳେ ଏକାଧିକ ଆକାଉଣ୍ଟକୁ ଅଚଳ କରାଯାଇଛି। ଯେଉଁଥିରେ ୨୫ ଲକ୍ଷ ଟଙ୍କା ରହିଛି।ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ବର୍ତ୍ତମାନର ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ପରବର୍ତ୍ତୀ ସମୟରେ ରାଜା ଚକ୍ରଙ୍କ ସଂପୃକ୍ତି ସାମନାକୁ ଆସିଥିଲା। ସମ୍ଭାବ୍ୟ ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜା ଓ ତାଙ୍କର ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା ଏବଂ ସଦାଶିବ ସାମଲ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ସମସ୍ତଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ଅନ୍ତରୀଣ ସୁରକ୍ଷା ହଟିଯିବା ପରେ ଆଜି ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି। ବାକି ତିନିଜଣ ସହଯୋଗୀ ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *