ଓଡ଼ିଶା ଦିବସ ସ୍ବତନ୍ତ୍ର: ଉପଯୁକ୍ତ ମର୍ଯ୍ୟାଦା ପାଉନି ରାଜ୍ୟ ସଙ୍ଗୀତ

ଭୁବନେଶ୍ୱର: ଠିକ୍ ଭାବେ ଗାନ କରାଯାଉନି ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ଯିଏ ‌ଯେମିତି ପାରୁଛି ଭିନ୍ନ ଭିନ୍ନ ସ୍ବରରେ ଗାଉଛି। ପୁଣି କିଛି ଶବ୍ଦର ଉଚ୍ଚାରଣ ବି ତ୍ରୁଟିପୂର୍ଣ୍ଣ ରହୁଛି। କେଉଁଠି ‘ଚାରୁ ହାସମୟୀ’ ‘ଚାରୁ ହାସ୍ୟମୟୀ’ ହେଇଯାଉଛି ତ କେଉଁଠି ‘ଜନନୀ…’ ଶବ୍ଦ ବହୁବାର ଉଚ୍ଚାରଣ ହେଉଛି। ଗୀତର ଅବଧି ବି ସବୁଠି ସମାନ ନାହିଁ। ରାଜ୍ୟ ସଙ୍ଗୀତ ଗାନ ବେଳେ ଦଣ୍ଡାୟମାନ ‌ହୋଇ ସମ୍ମାନ ଜଣାଇବାକୁ ସରକାରୀ ନିର୍ଦ୍ଦେଶ ଥିଲେ ବି ତାହାକୁ ଖୋଦ୍ ଜନପ୍ରତିନିଧି ଅମାନ୍ୟ କରୁଛନ୍ତି। ରାଜ୍ୟ ସଙ୍ଗୀତକୁ ନେଇ ସାରା ରାଜ୍ୟରେ ଏବେ ଏମିତି ସ୍ଥିତି। ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।ବର୍ଷ ବର୍ଷ ଧରି କାନ୍ତକବି ‌ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏମିତି ସ୍ଥିତି ଲାଗି ରହିଛି। ୨୦୧୯ ମସିହାରେ ବିଧାନସଭାରେ ତତ୍‌କାଳୀନ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ବନ୍ଦେ ଉତ୍କଳ ଜନନୀ କିଭଳି ନିର୍ଦ୍ଦିଷ୍ଟ ସମୟସୀମା ଓ ଗୋଟିଏ ସ୍ବରରେ ଗାନ କରାଯିବ, ସେ ନେଇ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ସଂସ୍କୃତି ବିଭାଗ ପଦକ୍ଷେପ ନେବାକୁ ସେ କହିଥିଲେ। ବାଚସ୍ପତି ବି ତତ୍‌କାଳୀନ ରୁଲିଂ ଦେଇ ଏ ଦିଗରେ ପଦକ୍ଷେପ ନେବାକୁ ସଂସ୍କୃତି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଗାୟନ ଅବଧି ଓ ସ୍ବର ସମାନ ରହୁନିଶବ୍ଦର ଉଚ୍ଚାରଣ ବି ତ୍ରୁଟିପୂର୍ଣ୍ଣଅସମ୍ମାନ କଲେ ଦଣ୍ଡବିଧାନ ନାହିଁଶେଷରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରସ୍ତାବରେ ୨୦୨୦ ଜୁନ୍ ୭ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ମୋହର ବାଜିଲା। କୌଣସି ସଭାରେ ବନ୍ଦେ ଉତ୍କଳ ଜନନୀ ଗାୟନ ବେଳେ ସମସ୍ତେ ଦଣ୍ଡାୟମାନ ହୋଇ ସମ୍ମାନ ଦେବା ବାଧ୍ୟତାମୂଳକ କରାଗଲା। ସଙ୍ଗୀତ ଗାୟନର ଅନୁମୋଦିତ ସ୍ବର, ଶୈଳୀ, ଗାୟନ ଅବଧିର ଦାୟିତ୍ବ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦିଆଯାଇଥିଲାା। ଏହି କ୍ରମରେ ବିଭାଗ ପକ୍ଷରୁ ସଙ୍ଗୀତ ରେକର୍ଡିଂ କରାଯାଇ ଏହାକୁ ଡାଉନ୍‌ଲୋଡ କରି ବଜାଇବାକୁ ବିଭାଗର ୱେବ୍‌ସାଇଟ୍‌ରେ ଲିଙ୍କ୍‌ ମଧ୍ୟ ପ୍ରଦାନ କରାଯାଇଛି। ଏଥିରେ ସଙ୍ଗୀତର ଅବଧି ୨ ମିନିଟ୍‌ ୧୧ ସେକେଣ୍ଡ ରହିଛି। ଆମ ଜାତୀୟ ସଙ୍ଗୀତ ‘ଜନ ଗଣ ମନ…’ ଗୋଟିଏ ସ୍ବରରେ ଓ ନିର୍ଦ୍ଦିଷ୍ଟ ଗାୟନ ଅବଧିରେ ସାରା ଦେଶରେ ସମାନ ଭାବେ ଗାନ କରାଯାଇପାରୁଥିଲା ବେଳେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ କ୍ଷେତ୍ରରେ ତାହା ହୋଇପାରୁ ନାହିଁ। ସୂଚନା ଓ ଲୋକସମ୍ପର୍କ ବିଭାଗ ୱେବ୍‌ସାଇଟ୍‌ରେ ଲିଙ୍କ୍‌ ଥିଲେ ମଧ୍ୟ ତାହାକୁ ବହୁ ସଂସ୍ଥା ଡାଉନ୍‌ଲୋଡ୍‌ କରୁନାହାନ୍ତି। ୟୁଟ୍ୟୁବ୍‌ରେ ଉପଲବ୍ଧ ଥିବା ଭିନ୍ନ ଭିନ୍ନ ସ୍ବରକୁ ବ୍ୟବହାର କରାଯାଉଛି ।

ଏପରିକି ଅନ୍ୟ ଗୀତ ଓ ନୃତ୍ୟରେ ବି ରାଜ୍ୟ ସଙ୍ଗୀତକୁ ବ୍ୟବହାର କରାଯାଉଛି, ଯାହା କି ଅତ୍ୟନ୍ତ ଅରୁଚିକର ଲାଗୁଛି। ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ଆଇନ ଅନୁଯାୟୀ ଦଣ୍ଡବିଧାନ ବ୍ୟବସ୍ଥା ଅଛି। କିନ୍ତୁ ରାଜ୍ୟ ସଙ୍ଗୀତ କ୍ଷେତ୍ରରେ ସେପରି କିଛି ବ୍ୟବସ୍ଥା ନାହିଁ। ଏହାର ସୁଯୋଗ ନେଇ କିଛି ହାତଗଣତି ଲୋକ ରାଜ୍ୟ ସଙ୍ଗୀତକୁ ଅସମ୍ମାନ କରି ନିଜକୁ ଚର୍ଚ୍ଚାରେ ରଖିବାକୁ ଚାହୁଥିବାର ଅଭିଯୋଗ ହେଉଛି। କାନ୍ତକବିଙ୍କ ପୁତ୍ର ଗୁରୁ କଲ୍ୟାଣ ମହାପାତ୍ରଙ୍କ କହିବା ଅନୁଯାୟୀ ଓଡ଼ିଆ ଅସ୍ମିତା ପାଇଁ ଯେଉଁ ସରକାର କ୍ଷମତାକୁ ଆସିଛନ୍ତି ସେମାନେ ଏ ଦିଗରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଆବଶ୍ୟକ। ଏହା ରାଜ୍ୟ ସଙ୍ଗୀତ ହୋଇଥିବାରୁ ଏହାର ମର୍ଯ୍ୟାଦା ରଖି ଅନ୍ୟ ଗୀତ ଓ ନୃତ୍ୟରେ ଏହାର ବ୍ୟବହାର ନ ହେବା ଉଚିତ।ସେହିପରି ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ କହିଛନ୍ତି, ରାଜ୍ୟ ସଙ୍ଗୀତକୁ ଆଉ ଥରେ ରେକର୍ଡିଂ କରିବାର ଆବଶ୍ୟକତା ରହିଛି। ସଙ୍ଗୀତରେ ଥିବା ତ୍ରୁଟି ଯେପରିକି ‘ଘନ-ବନଭୂମି ରାଜିତ ଅଙ୍ଗେ…’କୁ ‘ଘନ ଘନ-ବନଭୂମି ରାଜିତ ଅଙ୍ଗେ…’ ସୁଧାରିବା ଦରକାର। ଦୁଇ ମିନିଟ୍‌ରୁ ଅଧିକ ସମୟ ଏହାର ଅବଧି ରହିଛି। ଏହାକୁ ଆହୁରି କମାଇଲେ ଭଲ ।

Leave a Reply

Your email address will not be published. Required fields are marked *