୪ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ ମେଡିକାଲ କଲେଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ବ ଦେଉଛନ୍ତି। ଜନସାଧାରଣଙ୍କ ଚିକିତ୍ସା ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି। ଆଗାମୀ ଦିନରେ ରାଜ୍ୟରେ ଚିକିତ୍ସା ସେବା ବ୍ୟବସ୍ଥା ଆହୁରି ଅଧିକ ମଜବୁତ ହେବ। ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ରାଜ୍ୟରେ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ’ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏହା କହିଛନ୍ତି।

କଟକ ତଳବାଲିଯାତ୍ରା ପଡ଼ିଆରେ ଆୟୋଜିତ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନା’ର ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟରେ ୪ଟି ନୂଆ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ଚଳିତ ବର୍ଷ ବଜେଟରେ ବ୍ୟୟ ବରାଦ ହୋଇଛି। ଖୁବଶୀଘ୍ର ନବ ନିର୍ମିତ ୨ଟି ମେଡିକାଲ କଲେଜର ମଧ୍ୟ ଶୁଭ ଉଦ୍‌ଘାଟନ କରାଯିବ। ଡାକ୍ତରଖାନାରେ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଗତ ୧୦ ମାସ ଭିତରେ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଖାଲିଥିବା ଡ଼ାକ୍ତର, ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ଦିଆଯାଉଛି। ବିଗତ ଦିନରେ ତିନିଟି ପର୍ଯ୍ୟାୟରେ ୪ ହଜାର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ଆହୁରି ୫ ହାଜର ୩୭୪ ଡାକ୍ତର, ଦନ୍ତ ଚିକିତ୍ସକ ପଦବି ପୂରଣ ପାଇଁ ପ୍ରକ୍ରିୟା ଚାଲିଛି। ଖୁବଶୀଘ୍ର ଏହି ପଦବି ଗୁଡିକରେ ନିଯୁକ୍ତି ଦିଆଯିବ। ଏବେ ରାଜ୍ୟରେ ୧୨ଟି ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେଉଛି। କିଛି ଦିନ ମଧ୍ୟରେ ଆଉ ୨ଟି ମେଡିକାଲ କଲେଜର ଶୁଭ ଉଦ୍ଘାଟନ ହୋଇଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ଓଡ଼ିଶାର ବିକାଶ ଇତିହାସରେ ଆଜି ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି। ୬ ବର୍ଷ ପୂର୍ବରୁ ରାଜନୈତିକ କାରଣରୁ ଆୟୁଷ୍ମାନ ଭାରତ ଯୋଜନା ଗତ ସରକାର ଲାଗୁ କରିନଥିଲେ। କିନ୍ତୁ ରାଜ୍ୟରେ ନୂଆ ସରକାର ଆସିବା ପରେ ଆଜି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି। ଓଡ଼ିଶା ବାହାରେ ମଧ୍ୟ ଏବେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ଓଡ଼ିଆ ଲୋକ। ସରକାରୀ ଓ ବେସରକାରୀ ମେଡିକାଲରେ ସେବା ମିଳିବ। ୩ଟି ରାଜ୍ୟରେ ଲାଗୁ ହୋଇନଥିଲା ଆୟୁଷ୍ମାନ ଭାରତ ଯୋଜନା। ଗତକାଲି ଦିଲ୍ଲୀରେ ଲାଗୁ ହେଲା ଏବଂ ଆଜି ଓଡ଼ିଶାରେ ଲାଗୁ ହୋଇଛି ।

Leave a Reply

Your email address will not be published. Required fields are marked *