
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟ,ଓଡ଼ିଶା ଟୁଡେ): ପିଏମ ଶ୍ରୀ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମୁଜାଗଡର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ପ୍ରିୟଦର୍ଶନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ଅତିଥି ରୂପେ ସାଂସଦ ପ୍ରତିନିଧ ଶ୍ରୀ ଶିବଶଙ୍କର ପ୍ରଧାନ, ମୁଜାଗଡ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଧୋବା ଗୌଡ଼, ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଚେୟାରପର୍ସନ ଶ୍ରୀମତୀ ସୁନୀତା ବରଡ, ମୁଜାଗଡ ଆଞ୍ଚଳିକ ସାଧନ କେନ୍ଦ୍ର ର ସି.ଆର୍.ସି.ସି ଶ୍ରୀ ସୁଶାନ୍ତ କୁମାର ସାହୁ ଏବଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅର୍ଥନୀତି ବିଭାଗର ଅତିଥି ଅଧ୍ୟାପକ ତଥା ଅବସର ପ୍ରାପ୍ତ ରିଡର୍ ଶ୍ରୀ ରବୀନ୍ଦ୍ରନାଥ ପାଳ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଛାତ୍ର ଓ ଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶରେ ଶିକ୍ଷକ ଓ ଅବିଭାବକ ମାନଙ୍କ ସହଯୋଗ ସମପରିମାଣରେ ରହୁଥିବା ଅତିଥିମାନେ ପ୍ରକାଶ କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ଯମରେ ବିଦ୍ୟାଳୟର ରୂପରେଖ ବଦଳିଥିଲେ ମଧ୍ୟ ତା’ର କାର୍ଯ୍ୟକାରିତା ଛାତ୍ରଛାତ୍ରୀଙ୍କ ମାନସିକ ପରିବର୍ତ୍ତନ ଉପରେ ନିର୍ଭର କରିଥାଏ ବୋଲି ସାଂସଦ ପ୍ରତିନିଧି ମତବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ରାଇଜିଙ୍ଗ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ଯମରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ ବୋଲି ରିଡର୍ ଶ୍ରୀ ପାଳ ମତ ରଖିଥିଲେ । ବିଦ୍ୟାଳୟରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ I ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ଓ ଅଭିଭାବକ ଅଂଶଗ୍ରହଣ କରି କାର୍ଯକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ସହଯୋଗ ଯୋଗୁ କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା ।