
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଶନିବାର ପୂର୍ବାହ୍ନ ୯ଟାରୁ ୧ଟା ଭିତରେ ଡହଡହ ଖରା । ଦେହମୁଣ୍ଡ ଯେପରି ପୋଡ଼ି ଯାଉଥିଲା। ଘଣ୍ଟାଏ ଅନ୍ତରରେ ପାଗରେ ଆସିଲା ପରିବର୍ତ୍ତନ। ଆକାଶ ହଠାତ୍ କଳାହାଣ୍ଡିଆ ମେଘରେ ଆଚ୍ଛାଦିତ ହେଲା। ଚାରିଆଡ଼ ଅନ୍ଧାର ଦିଶିଲା। ପ୍ରଥମେ ଧୂଳିଝଡ଼ ଓ ପରେ ଜୋରରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ନାଦରେ ମହିମଣ୍ଡଳ କମ୍ପିଲା।ଅପରାହ୍ନ ରେ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଏହି କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ମେଘ ପବନରେ ଭଞ୍ଜନଗର ବ୍ଲକର ଗାଲେରୀ, ବ୍ରାହ୍ମଣପଦର, ହରିଗଡ, ତୁରୁମୁ,ଦୋମୁହାଁଣି ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି।ଗଛପଡି ଦୋଳାବନ୍ଧ ଗ୍ରାମର ଦୟାନିଧି ପ୍ରଧାନଙ୍କ ଏକ ବାଛୁରୀର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଗୁହାଳ ମଧ୍ୟ କାଳବୈଶାଖି ପବନରେ ଭାଙ୍ଗି କ୍ଷତି ହୋଇଛି।ସେହିପରି ବ୍ରାହ୍ମଣପଦରରେ ମଧ୍ୟ ବିଦ୍ୟୁତ ଖୁଣ୍ଟ ପଡି ଏକ କାର୍ ଚୁରମାର୍ ହୋଇଯାଇଛି।ମେଘ ପବନରେ ଗାଲେରୀ ଗ୍ରାମରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ସେହିପରି ମସ୍କାବାଡି ଗ୍ରାମର ପାଞ୍ଚଟି ପରିବାରର ଘର ମଧ୍ୟ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି।ଗ୍ରାମର ରିନା ନାଇକ,ମାଲ ନାଇକ,ଅନିତା ନାଇକ,ରଜନୀ ଳାଇକ ଓ ସନ୍ତୋଷିନୀ ନାଇକଙ୍କ ଙ୍କ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।ଖବର ପାଇ ଗାଲେରୀ ସରପଞ୍ଚଙ୍କ ପ୍ରତିନିଧି ଶଙ୍କର୍ଷଣ ମହାରଥା କ୍ଷତିଗ୍ରସ୍ତ ପରିବାର ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି।ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।