
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଓ ଘୁମୁସର ବିକାଶ ପରିଷଦ ତରଫରୁ ଗୁରୁବାର ପୂର୍ବାହ୍ନ ରେ ସ୍ଥାନୀୟ ନାୟକ ଭବନ ଠାରେ ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଆରମ୍ଭରେ ଏହାର ଆବାହକ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଏ ଦିବସର ତାପ୍ତର୍ଯ୍ୟ ସମ୍ପର୍କ ରେ ଉଦବୋଧନ ଦେଇ କହିଥିଲେ କୃଷକ ଓ ଶ୍ରମିକ ମାନଙ୍କ ଐକ୍ୟ ପ୍ରତିଷ୍ଠା ହେଲେ ଯାଇଁ ଦେଶର ସାମାଜିକ ବିପ୍ଳବ ସଂଗଠିତ ହେବ। ଏ ଦୁଇ ଶକ୍ତିକୁ ଭାଗ ଭାଗ କରି ରଖି ଶାସନ ତାର ରାଜନୈତିକ ଫାଇଦା ହାସଲ କରୁଛି। ଏ ଦିଗରେ ସେମାନେ ସଚେତନ ହୋଇ ହାତକୁ ହାତ ମିଳାଇ ଅଗ୍ରସର ହେବାକୁ ହେବ । ମୁଖ୍ୟବକ୍ତା ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା, କବି ରାଧାମୋହନ ଗଡ଼ନାୟକ, କବି ସଚିରାଉତ ରାୟ କିପରି ଶ୍ରମିକ ଶ୍ରେଣୀକୁ ଆହ୍ୱାନକରି କାଳଜୟୀ କବିତା ଲେଖି ଯାଇଛନ୍ତି ତାର ଦୃଷ୍ଟାନ୍ତ ଦେଇ ଆଲୋଚନା ଚକ୍ର କୁ ସରଗରମ କରିଦେଇଥିଲେ । ଜାମପଲ୍ଲୀ ର ବରିଷ୍ଠ କୃଷକ ଭାସ୍କର ପ୍ରଧାନଙ୍କୁ ଏ ଅବସରରେ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବଶ୍ରୀ ସୁରେନ୍ଦ୍ର ବେହେରା, ଲଡ଼ୁକିଶୋର ପ୍ରଧାନ, ପି. ରବୀନ୍ଦ୍ର ପାତ୍ର ବାଳକୃଷ୍ଣ ବେହେରା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ପିତାମ୍ବର ପରିଡା, ପ୍ରଫୁଲ ନାୟକ, ପଦ୍ମନାଭ ପ୍ରଧାନ, ପ୍ରତାପଚନ୍ଦ୍ର ସାହୁ, ମଧୁସୂଦନ ସ୍ୱାଇଁ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ପରିଶେଷରେ ସମ୍ପାଦକ ରବିନାରାୟଣ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।