ଭଞ୍ଜନଗର : ଭଞ୍ଜନଗର ରୁ ପୁରୀ ଗଲା ରଥକାଠ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ପୁରୀ ରଥଯାତ୍ରା ପାଇଁ ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ପୁରୀ ରଥଖଳାରେ ଚାଲିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ରଥକାଠ ପୁରୀ ଅଭିମୂଖେ ଅଣାଯାଉଛି। ଏହି ଭଳି ଗଞ୍ଜାମ ଜିଲା ଘୁମୁସର ଦକ୍ଷିଣ ବନଖଣ୍ଡ ଏବଂ ଉତ୍ତର ବନଖଣ୍ଡରୁ ଦିର୍ଘ ବର୍ଷ ହେବ ପୁରୀ ରଥଯାତ୍ରା ପାଇଁ ରଥ କାଠ ପଠାଯାଉଛି। ଗତ ମଙ୍ଗଳବାର ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ ଆମ୍ବଝରା ଓ ଘୋଗଡ ସଂରକ୍ଷିତ ଜଙ୍ଗଲରୁ ପ୍ରଥମ ପର୍ଯ୍ୟାୟରେ ୨୩ ଖଣ୍ଡ କାଠକୁ ପୂଜାର୍ଚ୍ଚନା ପରେ ପୁରୀ ରଥ ଖଳା ଅଭିମୁଖେ ପଠା ଯାଇଥିଲା। ସୋମବାର ମୁଜାଗଡ ବନାଞ୍ଚଳ ର ବାଇବାଲି ସଂରକ୍ଷିତ ଜଙ୍ଗଲରୁ ଦ୍ବିତୀୟ ପର୍ଯ୍ୟାୟ ୩୬ ଖଣ୍ଡ ଢଉରା କାଠ ପୁରୀ ଅଭିମୁଖେ ପଠାଯାଇଛି।ଏହି ସମୟରେ ସେଠାରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ଲୋକେ ମଧ୍ୟ ରଥକାଠ ଗାଡ଼ିକୁ ଅଟକାଇ ପୂଜାର୍ଚ୍ଚନା କରିଥିଲେ। ସୂଚନାଯୋଗ୍ୟ, ପୁରୀ ରଥଯାତ୍ରା ପାଇଁ ଆବଶ୍ୟକ କାଠ ବର୍ତ୍ତମାନ ସବୁ ଜଙ୍ଗଲରେ ମିଳୁନାହିଁ। ତେଣୁ ରଥ ଯାତ୍ରାର ବହୁ ପୂର୍ବରୁ ବନ ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିତ ଭାବେ ବୈଠକ ହୋଇ କାଠ ଚୟନ ହୋଇଥାଏ। ପରେ କାଠ କାଟିବା ଯୋଜନା ହୋଇଥାଏ। ସୋମବାର ରଥ କାଠ ଯିବା ସମୟରେ ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ଏସିଏଫ ବିବେକ କୁମାର ଦାସ,ଡ. ରଶ୍ମି ରଞ୍ଜନ ସାଇଁ,ମୁଜାଗଡ଼ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ,କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ,ଭଞ୍ଜନଗର ବ୍ଲକ ଚେୟାରମ୍ୟାନ ନରିସଭା ନାୟକ, ସାଂସଦ ଙ୍କ ଡିଆରଡିଏ ପ୍ରତିନିଧି ଶିବଶଙ୍କର ପ୍ରଧାନ, ବିଜେପି ନେତା ସୁବାଷ ଚନ୍ଦ୍ର ବରାଡ, ରଞ୍ଜିତ ପାତ୍ର,ସମେତ ବନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *