ଭଞ୍ଜନଗର: ବାଗଦେବୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଏବଂ ନାମ ଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଏବଂ ଦାୟିତ୍ଵ ବଣ୍ଟନ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାଗଦେବୀ ମନ୍ଦିର ନୂତନ ଭବ୍ୟ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ନିମନ୍ତେ ଆସନ୍ତା ଜୁନ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଯଥା ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ । ଏସବୁ କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ ସଂପାଦନ ହେବ ସେ ନେଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଏହି ପ୍ରସ୍ତୁତି ବୈଠକରେ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଦଳବେହେରାଙ୍କ ସମେତ ଶ୍ରୀରାମ ପ୍ରସାଦ ପାଳ, ସୁବାସ ଚନ୍ଦ୍ର ପ୍ରଧାନ, ସୁବାସ ଚନ୍ଦ୍ର ବରାଡ଼, ରାଘବଚନ୍ଦ୍ର ଆଚାର୍ଯ୍ୟ, ଗୋପାଳ କୃଷ୍ଣ ପାଣିଗ୍ରାହୀ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । କଳସ ଯାତ୍ରା, ପୂଜା ଦାୟିତ୍ୱ, ଟ୍ରାଫିକ ବ୍ୟବସ୍ଥା, ସଫେଇ, ଯଜ୍ଞ,ନାମ ସଂକୀର୍ତ୍ତନ, ଭୋଗ ପ୍ରସ୍ତୁତି, ପ୍ରସାଦ ବଣ୍ଟନ, ସୂଚନା କେନ୍ଦ୍ର ଆଦି ନିମନ୍ତେ କମିଟି ଗଠନ କରି ସଦସ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଭଞ୍ଜନଗର ଏନଏସି ଓ ବ୍ଲକର ବିଭିନ୍ନ ପଞ୍ଚାୟତର ସ୍ବେଚ୍ଛାସେବୀଙ୍କ ସହଯୋଗରେ ଯେପରି ବିଶ୍ୱଶାନ୍ତି ମହାଯଜ୍ଞ ସଫଳ ହୋଇଥିଲା ବର୍ତ୍ତମାନ ମଧ୍ୟ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ ବିଧାୟକ ଶ୍ରୀ ନାୟକ କହିଥିଲେ। ଏହି ଉତ୍ସବରେ ୨୪ପ୍ରହର ଅଖଣ୍ଡ ନାମଯଜ୍ଞ,ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଆଦି କାର୍ଯ୍ୟକ୍ରମ ରହିଛି। ଏଥି ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆଜିର ବୈଠକରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଆଖପାଖର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପ୍ରକାଶ ଥାଉ କି ପ୍ରତି ତିନି ବର୍ଷକୁ ଥରେ ଭଞ୍ଜନଗର ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୁଏ । ଯାହା କି ଗତ ୨୦୨୩ ମସିହାରେ ଅନୁଷ୍ଠିତ ହୋଇଥିଲା ଏବଂ ଆଗାମୀ ୨୦୨୬ ଅକ୍ଷୟ ତୃତୀୟା ସମୟରେ ଆରମ୍ଭ ହେବ। ସେହି ସମୟରେ ଏହି ଭବ୍ୟ ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।

Leave a Reply

Your email address will not be published. Required fields are marked *