୧୨ ରେ ଓଡ଼ିଶା ଆସିବେ ମୋଦୀ !

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଗଠନକୁ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆସନ୍ତା ୧୨ ତାରିଖରେ ସ୍ଥାନୀୟ ଜନତା ମଇଦାନରେ ଏକ ବଡ଼ ସମାବେଶର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି। ଏଥିପାଇଁ ଆମକୁ ସବୁଜ ସଂକେତ ମିଳିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଏହି ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ବହୁ କେନ୍ଦ୍ରୀୟ ନେତା ଯୋଗଦେଇପାରନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ମୁଖ୍ୟ ଆକର୍ଷଣ ହେବ। ଆମର ବର୍ଷ ପୂର୍ତ୍ତି ଉପଲକ୍ଷେ୧୮ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହେବ। ଏଥିରେ ପ୍ରତି ଜିଲ୍ଲାରେ ବଡ଼ ସମାବେଶ ହେବ। ମନ୍ତ୍ରୀମାନେ ଯୋଗଦେବେ। ଗତକାଲି ଚାଷୀ ସମାବେଶ ହୋଇଥିବାବେଳେ ଆଗକୁ ମହିଳା ସମାବେଶ, ଯୁବ ସମାବେଶ ଆଦି ହେବାର ଅଛି। ଏହା ସହ ପ୍ରତି ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହେବ। ଆମର କାର୍ଯ୍ୟକର୍ତ୍ତାମାନେ ପ୍ରତି ଗାଁର ପ୍ରତି ଘରକୁ ଯାଇ ସରକାରଙ୍କୁ ରିପୋର୍ଟ କାର୍ଡ ଦେବେ। ଆମେ ସରକାରକୁ ଆସିଲେ କ’ଣ କରିବୁ ବୋଲି କହିଥିଲୁ ଏବଂ କ’ଣ କଲୁ ତା’ର ତାଲିକା ଲୋକଙ୍କୁ ଦେବେ। ଏଥିରେ ଆମେ ଧାନ କ୍ବିଣ୍ଟାଲ ପିଛା ୩୧୦୦ଟଙ୍କା ଦେବୁ କହିଥିଲୁ ଦେଲୁ, ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା ଦେବୁ କହିଥିଲୁ ଏବେ ୧କୋଟି ମହିଳାଙ୍କୁ ଏହି ସହାୟତା ପ୍ରଦାନ କରିଛୁ। ଓବିସିଙ୍କୁ ସଂରକ୍ଷଣ ଦେବୁ କହିଥିଲୁ, ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫% ଦେଇଛୁ। ଏହିପରି ଆମେ ଯାହା ଯାହା କହିଥିଲୁ ସେଥିରୁ ଯାହା ଯାହା ପୂରଣ କରିଛୁ ସେ ହିସାବ ଲୋକଙ୍କ ପାଖରେ ପହଞ୍ଚିବ ।

Leave a Reply

Your email address will not be published. Required fields are marked *