
ଭଞ୍ଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବର୍ଷା ଦିନ ଆରମ୍ଭରୁ ଘାରିଲାଣି ସର୍ପାଘାତ ଭୟ । କେଉଁଠି ସାପ କାମୁଡ଼ାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟୁଛି ତ ଆଉ କେଉଁଠି ସାଧାରଣ ଜନତା ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି । ବିଶେଷକରି ବର୍ଷା ଦିନେ ସାପମାନେ ସକ୍ରିୟ ହୋଇଥାନ୍ତି। ଲଗାଣ ବର୍ଷା ଫଳରେ ବର୍ଷା ପାଣି ସାପ ଗାତରେ ପଶିବାରୁ ସାପ ମାନେ ନିଜ ବାସସ୍ଥାନ ଛାଡ଼ି ଜନବସତି ମୁହାଁ ହୋଇଥାନ୍ତି । ଗ୍ରାମାଞ୍ଚଳରେ ଥିବା ଚାଳ ଓ ଛପର ଘର ଭିତରକୁ ବିଷଧର ସାପ ସହଜରେ ପ୍ରବେଶ କରି ଲୋକଙ୍କୁ କାମୁଡ଼ି ଥାଏ । ଭଞ୍ଜନଗରରେ ଗତ ୭ ବର୍ଷରେ ୧୩୦୨ ଜଣ ସର୍ପ ଦଂଶନର ଶିକାର ହୋଇ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ମୃତକ ମଧ୍ୟ ରହିଛନ୍ତି। ତେବେ ସଚେତନତା ଅଭାବରୁ ସାପ କାମୁଡ଼ିଲେ ଲୋକେ ଡାକ୍ତରଖାନାକୁ ନଯାଇ କ୍ୱାକ୍ ଉପରେ ଭରସା କରୁଛନ୍ତି । ଫଳରେ ଅନେକଙ୍କ ମୃତ୍ୟୁ ଘଟୁଛି।ସାଧାରଣତଃ ମେ’ ଓ ଜୁନ୍ ମାସ ଆରମ୍ଭରୁ ଆରମ୍ଭ ହୋଇଯାଏ ସର୍ପାଘାତ ଭୟ। ବର୍ଷା ପାଣି ସାପ ଗାତରେ ପଶିଯିବାରୁ ସେମାନେ ବାହାରେ ବୁଲନ୍ତି । ଖାଦ୍ୟ ଅନ୍ବେଷଣରେ ଘରେ ମଧ୍ୟ ପଶିଯାନ୍ତି । ବର୍ଷା ଦିନେ ସାପଙ୍କ ଚଳପ୍ରଚଳ ଯୋଗୁଁ ଏହି ସମୟରେ ସର୍ପାଘାତ ଆଶଙ୍କା ଅଧିକ ରହିଥାଏ । ଚଳିତବର୍ଷ ବର୍ଷା ଋତୁ ଆରମ୍ଭ ରୁ ଜଣଙ୍କ ଜୀବନ ଗଲାଣି। ଗତ ମେ ମାସରେ ବାଇବାଲି ପଞ୍ଚାୟତ ନାରିଙ୍ଗିପଲ୍ଲୀ ଗ୍ରାମର ନଟିଆ ପ୍ରଧାନଙ୍କ ଝିଅ ତେଜସ୍ବିନୀ ସାପ କାମୁଡାରେ ଗୁରୁତର ହୋଇ ପଡ଼ିଥିଲେ । ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ଭଞ୍ଜନଗର ମେଡିକାଲ ନେଇଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ସେହିପରି ଗତବର୍ଷ ଭଞ୍ଜନଗର ବ୍ଲକ ଦର୍ପଙ୍ଗିଆ ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା ବେଳେ ତାରସିଂ ଥାନା ଅଧୀନ ବେରୁଆଁବାଡି ଗ୍ରାମର ଜଣେ ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ। ସେହିପରି ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ଗ୍ରାମର ଜଣେ ବୃଦ୍ଧଙ୍କ ମଧ୍ୟ ସାପ କାମୁଡାରେ ମୃତ୍ୟୁ ଘଟିଥିଲା ।
ଏଭଳି ଅନେକ ସାପ କାମୁଡ଼ା ମାମଲା ବିଗତ ଦିନରେ ଭଞ୍ଜନଗର ଉପଖଣ୍ଡ ଅଧିନ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ବିଶେଷକରି ଗଞ୍ଜାମ-କନ୍ଧମାଳ ଓ ଗଞ୍ଜାମ-ନୟାଗଡ଼ ସୀମାନ୍ତରେ ଥିବା ଉପାନ୍ତ ଗ୍ରାମ ଗୁଡିକରେ ସାପ କାମୁଡ଼ା ଜନିତ ମାମଲା ଅଧିକ ରହୁଛି। ଠିକ୍ ସମୟରେ ଚିକିତ୍ସା ନମିଳିବା ଓ ବିଷ ବାହାର କରିବାକୁ କ୍ୱାକ୍ଙ୍କ ସାହାର ନିଆଯାଉଥିବାରୁ ଗୁରୁତରଙ୍କ ଜୀବନଦୀପ ଅକାଳରେ ଲିଭିଯାଉଛି।ମିଳିଥିବା ତଥ୍ୟ ଅନୁସାରେ ଗତ ୭ ବର୍ଷ ମଧ୍ୟରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ସାପ କାମୁଡା ରେ ଆସୁଥିବା ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ୧୨୧ ଜଣ ଗୁରୁତର ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିବା ବେଳେ ୨୦୧୯-୨୦ରେ ୧୩୯ ଜଣ, ୨୦୨୦-୨୧ ରେ ୧୨୦ ଜଣ, ୨୦୨୧-୨୨ ରେ ୧୦୩ ଜଣ,୨୦୨୨-୨୩ରେ ୨୦୨ ଜଣ,୨୦୨୩-୨୪ ରେ ୩୦୧ ଜଣ, ୨୦୨୪-୨୬ ରେ ୨୬୭ ଜଣ ଗୁରୁତର ଆସିଥିଲେ।ସେହିପରି ଚଳିତବର୍ଷ ଏପ୍ରିଲ ରେ ୧୮ ଜଣ ଓ ମେ ରେ ୩୧ ଜଣ ସାପ କାମୁଡାରେ ଗୁରୁତର ହୋଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରେ ମୃତକ ମଧ୍ୟ ରହିଛନ୍ତି । ମେ ରୁ ଅକ୍ଟୋବର ଯାଏଁ ସାପ କାମୁଡା ଜନିତ ମାମଲା ବଢ଼ୁଥିବା ବେଳେ ମୌସୁମୀ ୪ ମାସ ଏହି ସଂଖ୍ୟା ସର୍ବାଧିକ ରହୁଛି । ସାପ କାମୁଡିବା ମାତ୍ରକେ କାଳ ବିଳମ ବିଳମ୍ବ ନକରି ଗୁଣିଆ ପାଖକୁ ନଯାଇ ତୁରନ୍ତ ହସ୍ପିଟାଲକୁ ଅଣଯିବାର ଆବଶ୍ୟକତା ଥିବା ଡାକ୍ତର କହିଛନ୍ତି ।