ଭଞ୍ଜନଗର : ରଜ କୁଇନ୍ -୨୦୨୫ ମୁକୁଟ ପିନ୍ଧିଲେ ଶିବାନୀ

ଭଞ୍ଜନଗର, ୨୪/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଭଞ୍ଜନଗର ଜେଲ ପଡ଼ିଆରେ ଗତ ୧୨ତାରିଖରୁ ଚାଲିଥିବା ରଜ ମହୋତ୍ସବ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି।ଏହି ଅବସରରେ ପ୍ରଥମ ଥର ପାଇଁ ରଜ କୁଇନ -୨୦୨୫ର ଆୟୋଜନ କରାଯାଇଥିଲା।ଶେଷ ଦିବସରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ମେଡ଼ିକାଲ ଅଧିକାରୀ ଡ଼ା. ସୀତାଂଶୁ ଶେଖର ଶତପଥୀ, ଦକ୍ଷିଣ ଘୁମୁସର ବନଖଣ୍ଡ ଏସିଏଫ ରଶ୍ମି ରଞ୍ଜନ ସ୍ୱାଇଁ, ଭଞ୍ଜନଗର ଜେଲ ସୁପରିଟେଣ୍ଡେଣ୍ଟ ମାନସ ରଞ୍ଜନ ସାମନ୍ତ ଓ ସମାଜସେବୀ ଶୂଳପାଣି ଶତପଥୀ ମଞ୍ଚାସିନ ଥିଲେ।ଜୟକୃଷ୍ଣ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଭଞ୍ଜନଗରରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ କୁ ଦେଖି ଅତିଥିମାନେ ଆୟୋଜକ ମାନଙ୍କୁ ବେଶ ପ୍ରଶଂସା କରିଥିଲେ ଏବଂ ପ୍ରତିବର୍ଷ ଏଭଳି ରଜ ଉତ୍ସବ ପାଳନ କରି ନୂତନ ପ୍ରତିଭାଙ୍କୁ ସୁଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ।ନିଜର ସୁନ୍ଦର ନୃତ୍ୟ, ଅଭିନୟ ଓ ବିଚାରକଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇ ଭଞ୍ଜନଗର ଲଣ୍ଡେଇ ସାହି ରାମକୃଷ୍ଣ ନଗରର ରାମ ଚନ୍ଦ୍ର ସାହୁଙ୍କ କନ୍ୟା ଶିବାନୀ ସାହୁ ଚଳିତ ବର୍ଷ ରଜ କୁଇନ -୨୦୨୫ର ମୁକୁଟ ପିନ୍ଧିଥିଲେ।ଏଥିସହ ଅତିଥିମାନେ ତାଙ୍କୁ ଉପଢୌକନ,ପ୍ରମାଣ ପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ।ଏଥିସହ ନୃତ୍ୟ, ସଙ୍ଗୀତ, ମେହେନ୍ଦୀ ଓ ଚିତ୍ରାଙ୍କନରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।ଶେଷରେ ୟୁନିକ ଡ୍ୟାନ୍ସ ଏକାଡେମୀ, ପ୍ରଜ୍ଞା ନୃତ୍ୟାନୁଷ୍ଠାନ, ସ୍ୱସ୍ତି ସିଦ୍ଧି ସଙ୍ଗୀତ ମଣ୍ଡଳୀ ଓ ଅନ୍ୟ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ।ଏଥିରେ ମୁଖ୍ୟ ପରିଚାଳକ ପ୍ରଦେଶ କୁମାର ସ୍ୱାଇଁ, ସଭାପତି ମିଥୁନ ବିଷୋୟୀ, ଓ ଜୁନିଅର ଅନୁଭବ ମହାନ୍ତି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *