ଭଞ୍ଜନଗର : ପାରମ୍ପରିକ ଖାଦ୍ୟ ପ୍ରତି କମୁଛି ଯୁବ ପିଢ଼ିଙ୍କ ଆଗ୍ରହ, ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଚାଲିଛି ପ୍ରତିଯୋଗିତା

ଭଞ୍ଜନଗର ୧୩/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମଳାସପଦର ମା’ ଅମ୍ବିକା ଏସ୍‌ଏଚ୍‌ଜି ରାଜ୍ୟ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ଯାହାକୁ ନେଇ ଭଞ୍ଜନଗର ବ୍ଲକ ପ୍ରଶାସନ ଖୁସିବ୍ୟକ୍ତ କରିଛନ୍ତି। ବିଡିଓ ଭାରତୀ ଦେବୀ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ମା ଅମ୍ବିକା ଏସ୍‌ଏଚ୍‌ଜି ଗ୍ରୁପର ସମସ୍ତ ସଭ୍ୟାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି।ସୂଚନାଯୋଗ୍ୟ, ରାଜ୍ୟର ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ ମଧ୍ୟରେ ଉତ୍ସାହ ଭରିବା ସହ ପାରମ୍ପରିକ ଖାଦ୍ୟ ଉପରେ ଅଧିକ ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ବ୍ଲକ ସ୍ତରରେ ପ୍ରଥମେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ହୋଇଥିଲା। ଏହିଭଳି ଭଞ୍ଜନଗର ବ୍ଲକରେ ଗତ ମାସ ୧୬ ତାରିଖରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ମା’ ଅମ୍ବିକା ଗ୍ରୁପ ପ୍ରଥମ ହୋଇଥିଲା। କିଛିଦିନ ପୂର୍ବେ ଅନୁଷ୍ଠିତ ଜିଲାସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଉକ୍ତ ଗ୍ରୁପ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଛି। ଆସନ୍ତା ୨୦ ତାରିଖରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେବ। ଏହା ପୂର୍ବରୁ ସମସ୍ତ କର୍ମକର୍ତ୍ତାଙ୍କୁ ତାଲିମ ଦିଆଯିବ। ପାରମ୍ପରିକ ଖାଦ୍ୟ ପ୍ରତି ଆଜିର ଯୁବପିଢ଼ିଙ୍କ ଆଗ୍ରହ କମିଯାଉଛି। ପାରମ୍ପରିକ ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ ହିତକାରକ। ତେଣୁ ସରକାର ଉକ୍ତ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଏହି ପ୍ରତିଯୋଗିତା ଆୟୋଜନ କରିଛନ୍ତି ।

Leave a Reply

Your email address will not be published. Required fields are marked *