ଭଞ୍ଜନଗର ଉପଖଣ୍ଡ ମନ୍ତ୍ରୀଶୂନ୍ୟ, ଧଡ଼ଧଡ଼ ହେଉଛି ଛାତି, ସୁନାକଳସ କାହା ମୁଣ୍ଡରେ ଢ଼ଳା ହେବ

ଭଞ୍ଜନଗର ୧୮/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ରାଜ୍ୟ ଭାଜପା ସଭାପତି ମନମୋହ‌ନ ସାମଲଙ୍କ ପୁନଃଦାୟିତ୍ଵ ଗ୍ରହଣ, ସେ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଗଞ୍ଜାମ ଜିଲ୍ଲାର ଅନେକ ବିଧାୟକ ଏବେ ଦୌଡ କୁ ଆସିଛନ୍ତି । ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ବିଧାୟକ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ଅନ୍ୟ ବିଧାୟକ ମାନେ ମନ୍ତ୍ରୀ ପଦ ପାଇଁ ଲବିରେ ଥିବା ନେଇ କିଛିଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଛି। ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଜଣେ କିମ୍ବା ଦୁଇ ଜଣ ସ୍ଥାନ ପାଇପାରନ୍ତି ବୋଲି ଆଲୋଚନା କରାଯାଉଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଅଧିନ ଭଞ୍ଜନଗର, ଆସିକା ଓ ସୋରଡ଼ା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି। ଗତ ବିଜେଡି ସରକାର ସମୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧ‌ିକ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଚାରି ଜଣ ମନ୍ତ୍ରିମଣ୍ଡଳରେ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରେ ବିକ୍ରମ କେଶରୀ ଆରୁଖ,ଉଷା ଦେବୀ ଓ ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରୀମଣ୍ଡଳରେ ରହୁଥିଲେ। ଏଥିସହ ଗଞ୍ଜାମ ଜିଲ୍ଲାରୁ ବାଚସ୍ପତି ମଧ୍ୟ ରହୁ ଥିଲେ। ଏକଦା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରୀ ହୋଇଥିଲେ। ସେହି ଦୃଷ୍ଟିକୋଣରୁ ଏବେ ଭାଜପା ସରକାର ସମୟରେ ୩ରୁ ୪ ଜଣ ମନ୍ତ୍ରୀ ଗଞ୍ଜାମ ଜିଲ୍ଲାକୁ ମିଳିବା ଆଶା କରାଯାଇଛି। ବର୍ତ୍ତମାନ ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା ଏବଂ ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ମନ୍ତ୍ରୀ ଥିବା ବେଳେ ଏକାଧିକ ବିଭାଗ ଦାୟିତ୍ୱରେ ଅଛନ୍ତି। ହେଲେ ଜିଲ୍ଲାର ସବୁଠୁ ବଡ ଭଞ୍ଜନଗର ଉପଖଣ୍ଡର ତିନି ବିଧାନସଭା ଆସନରୁ କେହିବି ଜଣେ ହେଲେ ମନ୍ତ୍ରୀ ହୋଇନାହାନ୍ତି। ଆଗାମୀ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ମୋହନଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇପାରେ। ଖାଲିଥିବା ମନ୍ତ୍ରୀ ପଦ ପୂରଣ ସହ ମନ୍ତ୍ରୀ ଶୂନ୍ୟ ଭଞ୍ଜନଗର ଉପଖଣ୍ଡ କୁ ପ୍ରତିନିଧିତ୍ବ ମିଳିପାରେ। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ନିଗମ ଓ ବୋର୍ଡରେ ଦଳୀୟ ନେତାଙ୍କ ନିଯୁକ୍ତି ନେଇ ମଧ୍ଯ ମାନସ ମନ୍ଥନ ଜାରି ରହିଛି।ରାଜନୈତିକ ସମୀକ୍ଷକଙ୍କ ମତରେ ଏହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ଏବଂ ଏନେଇ ପୂର୍ବାନୁମାନ କରିବା ବି କଷ୍ଟକର ।

ଭଞ୍ଜନଗରରେ ବିକ୍ରମ କେଶରୀ ଆରୁଖଙ୍କ ଭଳି ଜଣେ ପ୍ରଭାବଶାଳୀ ନେତା ତଥା ବିଜଦ ସରକାରର ବରିଷ୍ଠ ମନ୍ତ୍ରୀଙ୍କୁ ପରାଜିତ କରି ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରଥମ ଥର ବିଜୟୀ ହୋଇଛନ୍ତି। ଏଣୁ ସେ ମନ୍ତ୍ରୀ ପଦ ଆଶାୟୀ ଭାବେ ଲବିରେ ଥିବା କୁହାଯାଉଛି। ଅନ୍ୟପକ୍ଷରେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ବିଜେପିର ୪ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ ହେଁ ଜଣେ ବି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି। ଏଣୁ ସଂସଦୀୟ କ୍ଷେତ୍ର କୋଟାରେ ମନ୍ତ୍ରୀମଣ୍ଡଳରେ ପ୍ରଦ୍ୟୁମ୍ନଙ୍କୁ ସ୍ଥାନ ମିଳିଲେ ଭଞ୍ଜନଗର ବିଧାନସଭା କ୍ଷେତ୍ର ସମେତ ଜିଲ୍ଲା ଓ ସଂସଦୀୟ କ୍ଷେତ୍ର ରାଜନୀତିରେ ଏହା ବେଶ୍ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି। ସେହିପରି ପୂର୍ବରୁ କଂଗ୍ରେସ ଦଳ ଶାସନରେ ଥିବା ବେଳେ ସୋରଡ଼ା ଥରେ ମନ୍ତ୍ରୀ ପଦ ପାଇଥିଲା । ଉଷାରାଣୀ ପଣ୍ଡା କଂଗ୍ରେସ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। ପରବର୍ତ୍ତୀ ସମୟରେ ସୋରଡ଼ା ବିଧାନସଭା କ୍ଷେତ୍ର ସର୍ବଦା ମନ୍ତ୍ରୀଶୂନ୍ୟ ହୋଇ ରହିଛି। ଏଣୁ ଏହି ବିଧାନସଭା କ୍ଷେତ୍ରରୁ ଭାଜପା ବିଧାୟକ ନୀଳମଣି ବିଷୋୟୀଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ତାଙ୍କ ସମର୍ଥକ ଆଶା ରଖିଛନ୍ତି। ସେହିପରି ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ମଧ୍ୟ ୨ ଥରର ବିଧାୟକ। ପୂର୍ବରୁ କଂଗ୍ରେସ ଶାସନ ଅମଳରେ ଏଠାରୁ ରାଘବ ପରିଡ଼ା ମନ୍ତ୍ରୀ ହୋଇଥିଲେ। ଏବେ ସରୋଜ ପାଢ଼ୀଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ସମର୍ଥକମାନେ ଆଶାବାଦୀ ଅଛନ୍ତି।ଏଭଳି ସ୍ଥିତିରେ ହାତୀ କାହାମୁଣ୍ଡରେ ସୁନାକଳସ ଢାଳୁଛି ନା ଭଞ୍ଜନଗର ଉପଖଣ୍ଡ ନୂଆ ସରକାରରେ ପୁଣି ଥରେ ମନ୍ତ୍ରୀଶୂନ୍ୟ ହୋଇ ରହୁଛି, ତାକୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *