ବଜ୍ରପାତ ମୃତ୍ୟୁ ରୋକିବ ତାଳ ଗଛ, ଉତ୍ତର ଘୁମୁସର ବନଖଣ୍ଡ ରେ ଚଳିତ ବର୍ଷ ପୋତାଯାଇଛି ୭୮ ହଜାର ତାଳ ମଞ୍ଜି

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗତବର୍ଷ ବର୍ଷା ଋତୁରେ ମୂଜାଗଡ, ଗାଲେରି, ତାରସିଂ, ଜଗନ୍ନାଥପ୍ରସାଦ ଏବଂ କେନ୍ଦ୍ରୀୟ ବନାଞ୍ଚଳ ଅଧିନରେ ୬୮ ହଜାର ତାଳଗଛ ଲଗାଯାଇଥିଲା। ଚଳିତ ବର୍ଷ ଆଉ ୭୮ ହଜାର ତାଳଗଛ ଲଗାଇବା ପ୍ରକ୍ରିୟା ଚାଲିଛି। ଗତବର୍ଷ ଯେଉଁ ମଞ୍ଜି ପୋତା ହୋଇଥିଲା ତାହା ଆଶାନୁରୂପକ ସଫଳତା ମିଳିନଥିବା ଜଣାପଡିଛି । ତେଣୁ ଚଳିତ ବର୍ଷ ଆଉ ଅଧିକ ଏ ବାବଦରେ ୨୦ ପ୍ରତିଶତ ମଞ୍ଜି ପୋତିବା ଯୋଜନା ଅଛି। ଗତବର୍ଷ ମଞ୍ଜି ଲଗାଇବା ସମୟରେ ବିଭାଗ ବହୁ ବିଳମ୍ବ କରିଥିଲା। ସେତେବେଳକୁ ବର୍ଷା ପ୍ରାୟ କମିଯାଇଥିଲା । ଅନ୍ୟପଟେ ତାହାର ଉପଯୁକ୍ତ ରକ୍ଷଣାବେକ୍ଷଣ ମଧ୍ୟ ହୋଇପାରିନଥିଲା। ତେଣୁ ୫୦ ପ୍ରତିଶତରୁ ଅଧିକ ମଞ୍ଜି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି। କିନ୍ତୁ ବିଭାଗ ଆଶଙ୍କା କରୁଛି ୨୦ ପ୍ରତିଶତ ମଧ୍ୟରେ ମଞ୍ଜି ନଷ୍ଟ ହୋଇଥିବ। ଏନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଚଳିତ ବର୍ଷ ତାଳ ମଞ୍ଜି ଲଗାଇବା ପ୍ରକ୍ରିୟା ଚାଲିଛ। ଯୋଜନା କିଭଳି ସଫଳ ହେବ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ , ରାଜ୍ୟରେ ଦିନକୁ ଦିନ ବଜ୍ରପାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ତାଳ ଗଛ ହିଁ ଏକମାତ୍ର ବିକଳ୍ପ ବୋଲି ସରକାର ତିନିବର୍ଷ ପୂର୍ବେ ହୃଦବୋଧ କରିଥିଲେ। ଏହାପରେ ଗତବର୍ଷ ରାଜ୍ୟର ସମସ୍ତ ବନଖଣ୍ଡରେ ତାଳ ମଞ୍ଜି ବିଭିନ୍ନ ଯୋଜନାରେ ପୋତା ଯାଇଥିଲା। ଗତବର୍ଷ ଯୋଜନାର ସଫଳତାକୁ ଦେଖି ସରକାର ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ପାଚେରୀ କଡ଼, ପୋଖରୀ ଆଢ଼ୀ ଗୁଡିକରେ ମଧ୍ୟ ମଞ୍ଜି ପୋତିବା ଲକ୍ଷ୍ୟ ରଖିଛନ୍ତି। ତେଣୁ ବନ ବିଭାଗ ପକ୍ଷରୁ ମଞ୍ଜି ପୋତା ଚାଲିଛି।

Leave a Reply

Your email address will not be published. Required fields are marked *