ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୮ା୭:ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ହୋଇ ଦ୍ୱିତୀୟ ଭୋଗମଣ୍ଡପ ଶେଷହେବା ପରେ ମଇଲମ ନୀତି ଅନୁଷ୍ଠିତ ହେବ। ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଏହାପରେ ଶ୍ରୀଦେବୀ, ଭୂଦେବୀ ଖଟଶେଯ ଘରେ ବିଜେ କରିବେ। ମହାପ୍ରଭୁଙ୍କ ଖସାପଡ଼ା ନୀତି ପାଇଁ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ। ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଖସାପଡ଼ା ନୀତି ସମ୍ପନ୍ନ ହେବା ପରେ ଦଇତାପତି ଶ୍ରୀମନ୍ଦିରରୁ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢ଼ିବ। ମହାପ୍ରଭୁଙ୍କ ମଇଲମ ବେଶ ସନ୍ଧ୍ୟା ଆଳତି ବଢ଼ି ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଏହି ନୀତି ପାଇଁ ରବିବାର ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଛନ୍ତି। ଏହି ନୀତି ପାଇଁ ସୋମବାର ସନ୍ଧ୍ୟା ୬ଟାରୁ ରାତିି ୧୦ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *