ଗୋପାଳପୁର ଗଣବଳାତ୍କାର ମାମଲା: ଦାଖଲ ହେଲା ଚାର୍ଜସିଟ୍

ଗୋପାଳପୁର,୨୮ା୭: ଗୋପାଳପୁର ଗଣବଳାତ୍କାର ମାମଲାରେ ସୋମବାର ଚାର୍ଜସିଟ୍‌ ଦାଖଲ ହୋଇଛି। ଏସ୍‌ଡିଜେଏମ୍‌ଙ୍କ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୫୭୪ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଥିବା ସୂଚନା ମିଳିଛି।ଅନ୍ୟପକ୍ଷରେ ଗୋପାଳପୁର ଗଣବଳାତ୍କାର ମାମଲାରେ ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ କରାଯାଇଥିଲା। ଗୋପାଳପୁର ବେଳାଭୂମିରେ ହୋଇଥିବା ଗଣବଳାତ୍କାର ମାମଲାରେ ନିଜ ଆଡୁ ମାମଲା ରୁଜୁ କରିଥିଲା ଏନ୍‌ଏଚ୍‌ଆର୍‌ସି। ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଥିଲା।ବେଳାଭୂମିରେ ଜୁନ୍‌ ୧୫ରେ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିଲା। ଗୋପାଳପୁର ଥାନାରେ ପୀଡ଼ିତାଙ୍କ ଅଭିଯୋଗ ପ୍ରକାରେ ପୋଲିସ ୧୭ରେ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୪ ନାବାଳକଙ୍କୁ ଜେଜେବିରେ ହାଜର କରିଥିଲା। ୧୮ ତାରିଖରୁ କ୍ରାଇମବ୍ରାଞ୍ଚ ଉକ୍ତ ମାମଲାର ତଦନ୍ତ କରୁଛି। ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ ବ୍ରହ୍ମପୁରସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏଲ୍‌ଆର୍‌ ଆଣ୍ଡ ଏଲ୍‌ଟିଭି) ଅନ୍ବେଷା ଦାଶଙ୍କ କୋର୍ଟରେ ଆବେଦନ କରିଥିବା ବେଳେ ତାହା ମଞ୍ଜୁର ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ଟିଆଇ ପରେଡ୍‌ ପାଇଁ ଜେଲ ପରିସରରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଭିଯୁକ୍ତମାନଙ୍କୁ ହାଜର କରାଯାଇଥିଲା। ପୀଡ଼ିତା ସେଠାରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ। ଅନ୍ୟପଟେ ଘଟଣା ପରେ ପୋଲିସ ଜବତ କରିଥିବା ବିଭିନ୍ନ ସାମଗ୍ରୀ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିବା ବେଳେ ଉକ୍ତ ଟିମ ସେଗୁଡିକ ସିଏସ୍‌ଆଇ ପୋଲିସ ଜରିଆରେ କୋର୍ଟରେ ଦାଖଲ କରିଥିଲା।

Leave a Reply

Your email address will not be published. Required fields are marked *