ମାଲେଗାଓଁ ବିସ୍ଫୋରଣ ମାମଲା: ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ୧୭ ବର୍ଷ ପରେ ଆଜି ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣ ମାମଲାର ରାୟ ଆସିଛି। ଏହି ମାମଲାରେ NIA ସ୍ୱତନ୍ତ୍ର କୋର୍ଟ ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ କହିଛନ୍ତି ଯେ, ସନ୍ଦେହ ଆଧାରରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ଥିଲେ। ତାଙ୍କ ସହିତ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା।କୋର୍ଟରେ ରାୟ ପଢିବା ସମୟରେ ବିଚାରପତି କହିଛନ୍ତି ଯେ, ତଦନ୍ତରେ ଅନେକ ଭୁଲ ହୋଇଛି। ସରକାରୀ ପକ୍ଷ ବାଇକରେ ବିସ୍ଫୋରଣ ହୋଇଥିବା ପ୍ରମାଣ ମଧ୍ୟ କରିପାରିଲେ ନାହିଁ। ବିଚାରପତି ଏହା ମଧ୍ୟ କହିଛନ୍ତି ଯେ, ପଞ୍ଚନାମା ଠିକ୍ ଭାବରେ କରାଯାଇ ନଥିଲା।ବାଇକଟି ସାଧ୍ୱୀ ପ୍ରଜ୍ଞାଙ୍କ ନାମରେ ଥିଲା କି ନାହିଁ ତାହା ପ୍ରମାଣିତ ହୋଇପାରିଲା ନାହିଁ।ମାଲେଗାଓଁ ବିସ୍ଫୋରଣରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି ଯେ, ବାଇକର ଚେସିସ୍ ନମ୍ବର ମିଳିପାରିଲା ନାହିଁ। କୋର୍ଟ କହିଛନ୍ତି ଯେ, ବାଇକଟି ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କର ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଯାହା ଦାବି କରିଛନ୍ତି, ତାହା କୋର୍ଟରେ ପ୍ରମାଣିତ ହୋଇନାହିଁ।

ସମ୍ପୂର୍ଣ୍ଣ ମାମଲା କ’ଣ ଥିଲା?”ସେପ୍ଟେମ୍ବର ୨୯ ତାରିଖ ୨୦୦୮ରେ ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ମାଲେଗାଓଁରେ ଏକ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୬ ଜଣ ପ୍ରାଣ ହରାଇଥିଲେ। ବିସ୍ଫୋରଣ ଯୋଗୁଁ ୧୦୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ। ଲୋକମାନେ ନମାଜ ପାଠ କରିବାକୁ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବୋମା ବିସ୍ଫୋରଣର ଗୋଟିଏ ଦିନ ପରେ ସେପ୍ଟେମ୍ବର ୩୦ ତାରିଖ ୨୦୦୮ ରେ ମାଲେଗାଓଁର ଆଜାଦ ନଗର ଥାନାରେ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

ସାଧ୍ୱୀ ପ୍ରଜ୍ଞାଙ୍କ ନାମ ବୋମା ବିସ୍ଫୋରଣ ସହିତ କିପରି ଯୋଡ଼ି ହେଲେ?:ଏହି ମାମଲାର ପ୍ରାରମ୍ଭିକ ତଦନ୍ତ ପୋଲିସ କରିଥିଲା, କିନ୍ତୁ ଏହା ପରେ ସମ୍ପୂର୍ଣ୍ଣ ତଦନ୍ତ ATS ହାତକୁ ଗଲା। ତଦନ୍ତରୁ ଜଣାପଡିଲା ଯେ, LML ଫ୍ରିଡମ୍ ବାଇକ୍‌ରେ ଏକ ବୋମା ରଖାଯାଇଥିଲା। ଏହା ବିସ୍ଫୋରଣ ଘଟାଇଥିଲା, କିନ୍ତୁ ବାଇକ୍‌ରେ ଥିବା ନମ୍ବର ଭୁଲ ଥିଲା। ଯେତେବେଳେ ବାଇକ୍‌ର ତଦନ୍ତ ଆରମ୍ଭ ହୋଇଥିଲା, ସେତେବେଳେ ଦାବି କରାଯାଇଥିଲା ଯେ ଏହା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାମରେ ଥିଲା। ବିସ୍ଫୋରଣର ପ୍ରାୟ ଗୋଟିଏ ମାସ ପରେ ସାଧ୍ୱୀ ପ୍ରଜ୍ଞା ଏବଂ ଆଉ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *