କାଲି ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବଳୟରେ ୪୫ ପ୍ଲାଟୁନ ପୋଲିସ ଫୋର୍ସ

ରାଉରକେଲା: ଆସନ୍ତାକାଲି ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ସଜେଇ ହୋଇଛି ରାଉରକେଲା ସହର । ରାଉରକେଲା ସହର ସମେତ ସମ୍ପୂର୍ଣ୍ଣ ଜିଲ୍ଲାର ପ୍ରାୟ ତିନି ହଜାର ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ । ପିଲାମାନେ ଜୋରଦାର ଅଭ୍ୟାସ କରୁଛନ୍ତି । ଏହାକୁ ନେଇ ସମ୍ପୂର୍ଣ ଭାବରେ ଉତ୍ସାହିତ ଅଛନ୍ତି ସମସ୍ତ ଛାତ୍ରୀ । ଓଡିଶୀ, ସମ୍ବଲପୁରୀ ସହ ବିଭିନ୍ନ ଆଦିବାସୀ ସାଂସ୍କୃତିକ ନାଚରେ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତି ଚାଲିଛି ।ସେପଟେ ସୁରକ୍ଷା ବଳୟରେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ରହିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତାକାଲି ରାଉରକେଲା ଗସ୍ତକୁ ନେଇ ଏବେ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଜି ରାଉରକେଲା ପୋଲିସ ପକ୍ଷରୁ ଏକ ଭବ୍ୟ କାରକେଡ୍ ରିହର୍ସାଲ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ଏବଂ ଯାତାୟାତ ଯେପରି ସୁରୁଖୁରୁରେ ହେବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ଆଜି ଅନୁଷ୍ଠିତ ଏହି ରିହର୍ସାଲ୍ ରାଉରକେଲା ଏୟାରପୋର୍ଟରୁ ବାହାରି ସେକ୍ଟର-୧୩ ଛକ, ଡି.ଏ.ଭି ଛକ ଏବଂ ହନୁମାନ ବାଟିକା ଛକ ଦେଇ ICCC ଏବଂ ଟ୍ରାଇବାଲ ମ୍ୟୁଜିଅମ ସହ ସର୍କିଟ ହାଉସକୁ ଗତି କରିଥିଲା। ଏହି ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ପ୍ରାୟ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ୍ ଯିବା ସମୟରେ ଟ୍ରାଫିକ ନିୟନ୍ତ୍ରଣ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ଦିଗକୁ ଗୁରୁତ୍ବ ଦିଆଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭ୍ୟାସ କରାଯାଇଥିବା ବେଳେ, ସହରବାସୀ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।