
ପୁରୀ, ୨୦।୪ (ବଳରାମ ତ୍ରିପାଠି): ପବିତ୍ର ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏହି ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଛି। ମଧ୍ୟାହ୍ନ ଧୂପ ବଢିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତମାନେ ରଥଖଳା ଠାରେ ପହଞ୍ଚିବା ପରେ ସେଠାରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରିଥିଲେ। ସେହିପରି ଆଜିଠାରୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ତାପରୁ ଉପଶମ ପାଇବା ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଛନ୍ତି। ୨୧ ଦିନ ଧରି ଚାଲିବାକୁ ଥିବା ଏହି ବାହାର ଚାପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ପ୍ରତ୍ୟହ ମଧ୍ୟାହ୍ନରେ ଶ୍ରୀମନ୍ଦିରରୁ ବାହାରି ବିରାଟ ଶୋଭାଯାତ୍ରାରେ ଚନ୍ଦନ ପୁଷ୍କରିଣୀ ନରେନ୍ଦ୍ର ଅଭିମୁଖେ ଯିବେ।
ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଅନୁକୂଳ ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ।
ସେହିପରି ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ଡା ସେବାୟତ ମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା। ଶ୍ରୀମନ୍ଦିର ଶ୍ରୋତୀୟ ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ବାରା ବନଯାଗ ବିଧିରେ ପୂଜାର୍ଚ୍ଚନା ସହ ବିଶ୍ଵକର୍ମା ମହାରଣାଙ୍କ ଶାଢୀ ବନ୍ଧା ନୀତି ପରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟ ର ଅନୁକୂଳ କରାଯାଇଥିଲା। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଓ ଏହି ଯାତ୍ରା ସୁରୁଖୁରୁରେ କିଭଳି ସମ୍ପାଦନ ହେବ ସେ ନେଇ ସମସ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ୫ ଡିଏସପି ଓ ୮ ଜଣ ଇନ୍ସପେକ୍ଟର ମୃତୟନ ହୋଇଛନ୍ତି। ସେହିପରି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀ ରେ ବାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ କଟକଣା ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ପୁରୀ ଏସପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।