
UPI ନିୟମରେ ବଡ଼ ପରିବର୍ତ୍ତନ । ଏବେ ପେମେଣ୍ଟ ପୂର୍ବରୁ ଆଉ ଦରକାର ପଡ଼ିବନି PIN । ଏଣିକି ବାୟୋମେଟ୍ରିକ୍ସ ସାହାଯ୍ୟରେ ହେବ ସମସ୍ତ କାମ । ଏବେ ଫିଙ୍ଗରପ୍ରିଣ୍ଟ ଏବଂ ଫେସ୍ ଆଇଡି ମାଧ୍ୟମରେ ହେବ UPI ପେମେଣ୍ଟ । ଖୁବଶୀଘ୍ର ୟୁପିଆଇରେ ବାୟୋମେଟ୍ରିକ୍ ସିଷ୍ଟମ୍ ଆଣିବାକୁ ଯାଉଛି NPCI । UPI ପେମେଣ୍ଟକୁ ସୁରକ୍ଷିତ ଏବଂ ସିକ୍ୟୁର୍ କରିବା ପାଇଁ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଅର୍ଥାତ NPCI ଅନେକ ନୂଆ ନୂଆ ଫିଚର୍ସ ଜାରି କରିଚାଲିଛି । ତେବେ ବର୍ତ୍ତମାନ NPCI UPI ପେମେଣ୍ଟକୁ ସୁରକ୍ଷିତ କରିବା ପାଇଁ ଆଉ ଏକ ନୂଆ ଫିଚର୍ ନେଇଆସିଛି ।ଏହି ନୂଆ ଫିଚର୍ସ ବିଷୟରେ କହିବାକୁ ଗଲେ, NPCI ଖୁବ୍ ଶୀଘ୍ର ବାୟୋମେଟ୍ରିକ୍ସ ମାଧ୍ୟମରେ ପେମେଣ୍ଟ ସୁବିଧା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ଅର୍ଥାତ୍ ଯେତେବେଳେ ଏହି ସର୍ଭିସ ଆରମ୍ଭ ହେବ ୟୁଜର୍ସମାନେ ସେମାନଙ୍କ ଫେସ୍ ଆଇଡି କିମ୍ବା ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ UPI ପେମେଣ୍ଟ କରିପାରିବେ । ଏହି ନୂଆ ସର୍ଭିସ ପରେ UPIରେ ପେମେଣ୍ଟ ପାଇଁ PIN ଦେବାକୁ ପଡିବ । ଆଜିକାଲିର ବଢୁଥିବା ସାଇବର ଠକେଇକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।ବାୟୋମେଟ୍ରିକ୍ ପେମେଣ୍ଟ ସିଷ୍ଟମ୍ କ’ଣ?ବାୟୋମେଟ୍ରିକ୍ ପେମେଣ୍ଟ ସିଷ୍ଟମରେ, ପେମେଣ୍ଟ କନଫର୍ମ କରିବା ପାଇଁ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ ଆଇଡି ବ୍ୟବହାର କରାଯିବ । ଏହି ପେମେଣ୍ଟ ସୁବିଧା ପିନ୍ କିମ୍ବା ପାସୱାର୍ଡ ଅପେକ୍ଷା ଅଧିକ ସୁରକ୍ଷିତ ଏବଂ ଏହା ୟୁଜର୍ସଙ୍କ ପାଇଁ ବହୁତ ସହଜ ମଧ୍ୟ ହେବ । ପିନ୍ କିମ୍ବା ପାସୱାର୍ଡ ସହଜରେ ଚୋରି କିମ୍ବା କପି କରାଯାଇପାରିବ । କିନ୍ତୁ, ବାୟୋମେଟ୍ରିକ୍ ପେମେଣ୍ଟରେ ଏହି ବିପଦ କମ୍ ।ବାୟୋମେଟ୍ରିକ୍ ପେମେଣ୍ଟ ସିଷ୍ଟମ୍ ଠିକ୍ ସେହିପରି କାମ କରିବ ଯେପରି ଆମେ ଫୋନ୍ ଅନଲକ୍ କରିବା ପାଇଁ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ ଆଇଡି ବ୍ୟବହାର କରୁ । ଏବେ ଠିକ ସେହିଭଳି ଆମେ ପେମେଣ୍ଟ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିପାରିବା ।
ଏହି ସର୍ଭିସ କେବେ ଆରମ୍ଭ ହେବ?ଏହି ନୂଆ ପେମେଣ୍ଟ ଫିଚରର ଲଞ୍ଚ ଡେଟ୍ ବିଷୟରେ NPCI ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ତଥାପି NPCI ଏହା ସ୍ପଷ୍ଟ କରିଛି ଯେ ଏହାର ଲକ୍ଷ୍ୟ UPI ପେମେଣ୍ଟକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ଏବଂ ସହଜ କରିବା । ହୁଏତ ଆଗାମୀ ଦିନରେ, UPIରେ PIN ବଦଳରେ ବାୟୋମେଟ୍ରିକ୍ସ ବ୍ୟବହାର କରିବାର ସୁବିଧା ମଧ୍ୟ ଉପଲବ୍ଧ ହୋଇପାରେ । ଅର୍ଥାତ ଆପଣଙ୍କୁ ପେମେଣ୍ଟ କରିବା ପୂର୍ବରୁ ପିନ୍ ନୁହେଁ ବରଂ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ ଆଇଡି ଦେବାକୁ ପଡିବ ।କହିରଖୁଛୁ, ଅଗଷ୍ଟ ୧ରୁ UPIରେ ଅଟୋ-ପେ ରିକୁଏସ୍ଟ ଟାଇମିଂ, ଫାଷ୍ଟ ଫେଲ୍ ଟ୍ରାଞ୍ଜାକ୍ସନ ସିଷ୍ଟମ୍ ଏବଂ ବାଲାନ୍ସ ଯାଞ୍ଚ କରିବାର ଲିମିଟ୍ ଭଳି ଅନେକ ଜିନିଷରେ ପରିବର୍ତ୍ତନ ହୋଇଛି । ନୂଆ ନିୟମ ଅନୁଯାୟୀ, ଏବେ କେବଳ ସକାଳ ୧୦ଟା ପୂର୍ବରୁ ଏବଂ ଅପରାହ୍ନ ୧ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଅଟୋ-ପେ ରିକୁଏସ୍ଟ ପଠାଯାଇପାରିବ । ଏହା ସହିତ ୟୁଜର୍ସମାନେ ଗୋଟିଏ ଦିନରେ ୫୦ ଥରରୁ ଅଧିକ ବାଲାନ୍ସ ଯାଞ୍ଚ କରିପାରିବେ ନାହିଁ । ତେବେ ଯଦି ଆଗାମୀ ସମୟରେ ବାୟୋମେଟ୍ରିକ୍ସର ଏହି ନୂଆ ନିୟମ ଲାଗୁ ହେଉଛି ତେବେ ୟୁଜର୍ସମାନେ ଆହୁରି ଲାଭାନ୍ଵିତ ହୋଇପାରିବେ ।