
ଭଞ୍ଜନଗର, ୧୦/୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ଚାରିଆଡ଼େ ସାପ ମାନଙ୍କର ଚଳପ୍ରଚଳ ବୃଦ୍ଧି ପାଇଛି।ଯାହା ଫଳରେ ଅନେକ ସମୟରେ ବିଷଧର ସାପ କାମୁଡ଼ାରେ ବହୁ ଲୋକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର ଥାନା ଏସଆଇ ଲଷ୍ମୀଧର ମହାନ୍ତି ଓ ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଚକରା ବିଷୋୟୀ ଛକ ଏସବିଆଇ ଏଟିଏମ୍ ନିକଟରେ ଏକ ବିରାଟ ବୋଡ଼ା ସାପ ରାସ୍ତା ପାର ହେଉଥିବା ଦେଖି ତାର ସୁରକ୍ଷା ଦୃଷ୍ଟିରୁ ସଙ୍ଗେ ସଙ୍ଗେ ଶ୍ରୀ ମହାନ୍ତି ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ।କିଛି ସମୟ ମଧ୍ୟରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସଞ୍ଜୟ ସ୍ୱାଇଁ ଅନ୍ୟ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ଉକ୍ତ ବୋଡ଼ା ସାପଟିକୁ ଏକ ବସ୍ତାରେ ପୁରାଇ ନିକଟସ୍ଥ ସୋରାଦେବୀ ମନ୍ଦିର ନିକଟ ଜଙ୍ଗଲରେ ଛାଡିଥିଲେ।ଉଦ୍ଧାର ମାଈ ବୋଡ଼ା ସାପଟିର ଲମ୍ବ ପ୍ରାୟ ସାଢ଼େ ଏଗାର ଫୁଟ ହୋଇଥିବା ବେଳେ ତାର ଓଜନ ୮୦ କେଜିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଏହି ଉଦ୍ଧାର କାର୍ଯ୍ୟରେ କନେଷ୍ଟବଳ ନମ ଗମାଙ୍ଗ, ଗାର୍ଡ ବସନ୍ତ କୁମାର ସାହୁ, ଭିକାରୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ସେହିପରି ଆଜି ସନ୍ଧ୍ୟା ସମୟରେ ଗାଈ ଫାର୍ମ ନିକଟରେ ଥିବା ଏକ ଟ୍ରକ କଡ଼ରେ ଏକ ବିରାଟ ନାଗ ସାପକୁ ଉଦ୍ଧାର କରାଯାଇଛି।ଯାହାର ଲମ୍ବ ପ୍ରାୟ ସାଢ଼େ ୭ ଫୁଟ ଓ ଏହାର ଓଜନ ସାଢ଼େ ୨ କେଜି ହେବ ବୋଲି ସାପ ଧରାଳି ସଞ୍ଜୟ ସ୍ୱାଇଁ କହିଛନ୍ତି।