
ଭଞ୍ଜନଗର ୧୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କନ୍ଧମାଳ ରୁ ଜିଲ୍ଲା ବହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭଞ୍ଜନଗର ଅବକାରୀ ବିଭାଗ ଶନିବାର ୮୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ଏକ କାର ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଇଲାକାର ବିରେନ୍ କୁମାର ତ୍ରିପାଠୀ ଓ ଜୁନାସ ନାଇକ।
ସୁଚନା ମୁତାବକ, ଶନିବାର ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଭଞ୍ଜନଗର ଫୁଲବାଣୀ ରାସ୍ତାର ନିଧିଆପଲ୍ଲୀ ଛକରେ ପେଟ୍ରୋଲିଂ କରୁଥିଲେ।ଏହି ସମୟରେ ଏକ କାର୍ ସେହି ରାସ୍ତା ଦେଇ ଦ୍ରୁତ ଗତିରେ ଯାଇଥିଲା। ଅବକାରୀ ଟିମ୍ ର ସନ୍ଦେହ ହେବାରୁ ପେଟ୍ରୋଲିଂ ଟିମ୍ ଗାଡିଟିକୁ ପିଛା କରିଥିଲେ l ସହର ଉପକଣ୍ଠ ଶ୍ରୀରାମ ନଗର ନିକଟରେ ଅବକାରୀ ଟିମ୍ ର ଗାଡିକୁ ଗଞ୍ଜେଇ ଭର୍ତ୍ତି ଥିବା କାର ଟି ଧକ୍କା ଦେଇଥିଲା।ପରେ ଅବକାରୀ ଟିମ୍ ଗାଡିକୁ କାବୁ କରିବା ସହ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେଥିରୁ ଗଞ୍ଜେଇ ଭର୍ତ୍ତି ଏକାଧିକ ପ୍ୟାକେଟ ମିଳିଥିଲା। ପରେ ଜବତ ଗଞ୍ଜେଇ କୁ ମାଜିଷ୍ଟ୍ରେଟ ତଥା ଭାରପ୍ରାପ୍ତ ତହସିଲଦାର ଅବିନାଶ କୁମାର ମାହାର ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଜବତ ହୋଇଥିବା ଗଞ୍ଜେଇ ୮୦ କେଜିରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ତାହା ଲକ୍ଷଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଯାଞ୍ଚ ସମୟରେ ଅବକାରୀ ନିରିକ୍ଷକ ଡମ୍ବରୁଧର ହରିଜନ, ଥାନା ଅଧିକାରୀ ଅଲିଭା ମାଝୀ, ଏସଆଇ ବହୁମୁଲ୍ୟ ପରିଚ୍ଛାଙ୍କ ସମେତ ଅବକାରୀ କର୍ମଚାରୀ ସନାତନ ନାହାକ, ଜଗନ୍ନାଥ ମହାପାତ୍ର, ଶୁବଳ ପ୍ରଧାନ, କୃଷ୍ଣ ସେଠୀ, ଦିପ୍ତିରଞ୍ଜନ ସାହୁ ସାମିଲ ଥିଲେ।