
କଟକ: ସର୍ବଭାରତୀୟ ନିଟ ପିଜି ପରୀକ୍ଷାରେ ଅଲଇଣ୍ଡିଆ ଟପ୍ପର ହୋଇଛି ଓଡ଼ିଆ ପୁଅ । ସାରା ଭାରତରେ ଅଢେ଼ଇ ଲକ୍ଷ ପିଲାଙ୍କୁ ପଛରେ ପକାଇ କଟକ କାଳିଗଳିର ପୋଷନ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଡାକ୍ତର ବନିବ ପୁଅ । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେଥୋସ୍କୋପ । କାରଣ ପୁଅ ଆଜି ନିଟ୍ ପିଜି ପରୀକ୍ଷାରେ ଅଲଇଣ୍ଡିଆ ଟପ୍ପର ହୋଇଛି । ପୁଅ ସହ ସେମାନଙ୍କର ବି ବର୍ଷ ବର୍ଷର କଠିନ ପରିଶ୍ରମ ସାକାର ହୋଇଛି । ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି ।ସର୍ବଭାରତୀୟ ନିଟ ପିଜି ପରୀକ୍ଷାରେ ଅଲଇଣ୍ଡିଆ ଟପ୍ପର ହୋଇଛନ୍ତି କଟକର ପୋଷନ ମହାପାତ୍ର । ଏସିସିବିରେ ଏମବିବିଏସ କରିଥିବା ପୋଷନ ସର୍ବମୋଟ ୮୦୦ ନମ୍ବରରୁ ସର୍ବାଧିକ ୭୦୭ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି । ଆଗକୁ ସେ ମେଡ଼ିସିନ ଓ ରେଡ଼ିଓଲୋଜିରେ ସ୍ନାତକୋତ୍ତର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ତାଙ୍କ ସଫଳତାର ଶ୍ରେୟ ସେ ନିଜ ପରିବାର ଲୋକଙ୍କୁ ଦେଇଛନ୍ତି । ଆଉ ତାଙ୍କ ଭଳି ସଫଳତା ହାସଲ କରିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଏକାଗ୍ରତା ସହ ଓ କଠିନ ପରିଶ୍ରମ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ପୋଷନ ।ତେବେ ପୋଷନ ମହାପାତ୍ର ଏସସିବି ବଡ଼ ମେଡିକାଲ କଲେଜରେ MBBS ସାରି ହାଉସ ସର୍ଜନ ଭାବେ କାର୍ଯ୍ୟରତ ଥିଲେ । ରୋଗୀ ସେବା କରିବା ସହ ସେ ନିଟ ପିଜି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ସତରେ ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ସବୁକିଛି ହାର ମାନିଥାଏ । ସତ କହିବାକୁ ଗଲେ ପରିଶ୍ରମ ହିଁ ସଫଳତାର ଚାବି କାଠି । ସେହିଭଳି ପୋଷନ ସଫଳତାର ପାହାଚ ଚଢି ଚଢି ଆଜି ନିଜ ପିତାମାତାଙ୍କୁ ଗର୍ବିତ କରିଛନ୍ତି । ଦୃଢ଼ ଇଛାଶକ୍ତି ଆଗରେ ସବୁ କିଛି ସମ୍ଭବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପୋଷନ ।