ଭଞ୍ଜ ବିହାରରେ ଛାତ୍ର ଅଶାନ୍ତି; ମୁହାଁମୁହିଁ ଶାସକ ଏବଂ ବିରୋଧୀ

ବ୍ରହ୍ମପୁର: ଭଞ୍ଜ ବିହାର ଛାତ୍ର ଅଶାନ୍ତ ଘଟଣା । ମୁହାଁମୁହିଁ ଶାସକ ଏବଂ ବିରୋଧୀ । ଗତାକାଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଛାତ୍ର ଅଶାନ୍ତ ଘଟଣାରେ ରାଜନୀତି କରାନଯାଉ କହିଥିବା ବେଳେ ସେପଟେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଭେଟିଛି ବିଜେଡି । ଗତ ବୁଧବାର ଦିନ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତାହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ପରେ ହଠାତ୍ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଏକ ଗୋଷ୍ଠୀର ଛାତ୍ର ଆହାତ ହୋଇଥିଲେ । ଯାହାକୁ ନେଇ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଅହରାତ୍ର ଗୋପାଳପୁର ଥାନା ଆଗରେ ଧାରଣ ଦେଇଥିଲେ ।

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଘଟଣାରେ ରାଜନୀତି କରାନଯାଉ; ବିଜେପିଏହି ଘଟଣାକୁ ନେଇ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ କହିଛନ୍ତି ,” କୌଣସି କାରଣ ପାଇଁ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାକୁ ରାଜନୀତି କରାନଯାଉ । ଏହି ବିଶ୍ବବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଜାରି ରହିଛି । ପାଖାପାଖି ୨୦୦ କୋଟି ଟଙ୍କାର ଅନୁଦାନ ଆସିଥିବା ବେଳେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ବିକାଶ ଦିଗରେ କାର୍ଯ୍ୟ ଚାଲିଛି । ଏଭଳି ସମୟରେ ଗତକାଲି ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏହି ଘଟଣାରେ ଜିଲ୍ଲାର ସାନଖେମୁଣ୍ଡି ଅଞ୍ଚଳର କଂଗ୍ରେସ ଦଳର ବିଧାୟକ ରମେଶ ଜେନା କେତେକ ଅଣଛାତ୍ରଙ୍କୁ ନେଇ ବିଶୃଙ୍ଖଳିତ ବାତାବରଣ ତିଆରି କରିବା ପାଇଁ ପ୍ରୟାସ କରିଛନ୍ତି, ଯାହାକୁ ଆମେ ଦୃଢ଼ ନିନ୍ଦା କରୁଛୁ ।

କଂଗ୍ରେସ ଶସ୍ତା ରାଜନୀତି କରୁଛି : ବିଜେପିସେହିପରି ବିଜେପି ନେତା ପିତବାସ ପଣ୍ତା କହିଛନ୍ତି,” ସାନଖେମୁଣ୍ଡିର ବିଧାୟକ ସେଠାରେ ପହଞ୍ଚି ଯେଉଁପରି ଭାବରେ ରାଜ୍ୟ ସରକାର ଓ ସ୍ଥାନୀୟ ମନ୍ତ୍ରୀଙ୍କ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଦେଲେ, ତାହାକୁ ଗଞ୍ଜାମ ଜିଲ୍ଲା ବିଜେପି ତରଫରୁ ଦୃଢ଼ ନିନ୍ଦା କରାଯାଉଛି । ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣରୁ ହୋଇଥିବା ବିବାଦର ସମାଧାନ କରିବାକୁ ଉଦ୍ୟମ କରିବା ଜଣେ ଦାୟିତ୍ଵ ସମ୍ପର୍ଣ୍ଣ ନେତାଙ୍କ କାର୍ଯ୍ୟ କିନ୍ତୁ ସେଠାରେ ତାହା ନକରି ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣାରେ ନଅ ଲକ୍ଷ ଟଙ୍କା କାରବାର ହୋଇଛି ଓ ଖଣି,ବାଲି, ମୋରମ ଚୋରୀ ହେଉଥିବା କଥା କହି ଶସ୍ତା ରାଜନୀତିକୁ ପରିପ୍ରକାଶ କରିଛନ୍ତି, ଯାହା ଖୁବ୍ ବିନ୍ଦନୀୟ ।”

ସେ ଆହୁରି ମଧ୍ୟ କହିଛନ୍ତି,”ରାଜ୍ୟରେ ମୋହନ ମାଝୀଙ୍କ ସରକାରରେ ଅପରାଧୀ କେତେ ଶକ୍ତିଶାଳୀ ହେଉନା କାହିଁକି ଆଇନ୍ ହାତରୁ ଖସି ଯାଇପାରିବ ନାହିଁ । ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ 24ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ୪୫ ଦିନ ମଧ୍ୟରେ କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି । ଏଭଳି ସ୍ଥଳେ ଯଦି ଟଙ୍କା କାରବାରର କୌଣସି ପ୍ରମାଣ ରହିଛି, ତେବେ ସେ ତାହାକୁ ପୋଲିସରେ କାହିଁକି ଅଭିଯୋଗ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ।ଜିଲ୍ଲାରେ ଚୋରା ବାଲି, ମଦ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସରକାର କାହାକୁ ଛାଡିବେ ନାହିଁ । ଏଣୁ ଶସ୍ତା ଲୋକପ୍ରିୟତା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରନ୍ତୁ ।

ଏସପିଙ୍କୁ ଭେଟିଲା ବିଜେଡି:ସେପଟେ ବିଦ୍ୟାର୍ଥୀଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ବିଜେଡି । ଘଟଣାରେ ସମ୍ପୃକ୍ତ ରହିଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବିଶ୍ୱ ବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଦାବିରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।