ଅସଲ ରେ ବିପଦର ବନ୍ଧୁ – ବିପଦରବନ୍ଧୁ ସଂଗଠନ

ଭଞ୍ଜନଗର,୨୩/୮(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)-ସ୍ବେଛାସେବୀ ସଂଗଠନ ବିପଦର ବନ୍ଧୁ ନାମ ଯେମିତି କାମ ମଧ୍ଯ ସେମିତି। ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବାରେ ଏହି ଅନୁଷ୍ଠାନ ଭଞ୍ଜନଗର ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ଯ ବେଶ୍ ପରିଚିତ। କରୋନା ସମୟରେ ରୋଗୀଙ୍କୁ ଛୁଇଁବାକୁ ଲୋକେ ଭୟ କରୁଥିଲେ। କିନ୍ତୁ ଭଞ୍ଜନଗର ସ୍ବେଛାସେବୀ ମାନେ ଶବ ସତ୍କାର ଠାରୁ ଆରମ୍ଭ କରି ଅନେକ ସାହାଯ୍ୟ ଲୋକଙ୍କୁ କରୁଥିଲେ। ଯାହାକି ରାଜ୍ୟରେ ଏକ ନୂଆଁ ଉଦାହରଣ ସୃଷ୍ଟି କରିଥିଲେ। ଏହି ଅନୁଷ୍ଠାନ ବିପଦରେ ପଡ଼ିଥିବା ରୋଗୀଙ୍କୁ ମଧ୍ଯ ରକ୍ତ ଯୋଗାଇଥାଏ। ଏହିଭଳି ଭଞ୍ଜନଗର ବ୍ଲକ ଅଗଝୋଳ ଗ୍ରାମର ଜଣେ ମହିଳା ସିକଲସେଲ ରୋଗରେ ପୀଡିତ ଥାଇ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ପ୍ୟାକେଟ ରକ୍ତ ଆବଶ୍ୟକ ପଡ଼ିଥିଲା। ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ମାନେ ଚିନ୍ତିତ ହୋଇପଡ଼ିଥିଲେ। ଏନେଇ ବିପଦର ବନ୍ଧୁ କର୍ମକର୍ତ୍ତା ପ୍ରଶାନ୍ତ ରାଉତ ଜାଣିବା ପରେ ତାଙ୍କର ବନ୍ଧୁ ବୁଗୁଡ଼ାର ପ୍ରଦୀପ ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ଶନିବାର ସଂନ୍ଧ୍ୟାରେ ପ୍ରଦୀପ ଭଞ୍ଜନଗର ମେଡ଼ିକାଲରେ ପହଞ୍ଚି ରକ୍ତ ଦାନ କରିଥିଲେ। ଏଥିସହ ପ୍ରଶାସନ ପକ୍ଷରୁ ମଧ୍ଯ ଆଉ ଗୋଟିଏ ପ୍ୟାକେଟ ରକ୍ତ ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ରକ୍ତ ଶିକୁଳି ରୋଗୀ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବଢୁଛି। ସେମାନଙ୍କ ପାଇଁ କିଛି ମାସ ବ୍ୟବଧାନରେ ରକ୍ତ ଆବଶ୍ୟକ ପଡିଥାଏ। ଯାହାକି ଚିନ୍ତାଜନକ ବିଷୟ। ଏହିଭଳି ପରିସ୍ଥିତିରେ ସ୍ବେଚ୍ଛାସେବୀ ମାନେ ସାହାଯ୍ୟର ହାତ ବଢ଼ାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟୁଛନ୍ତି।