
ଅନୁଗୁଳ: ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ସ୍ବତନ୍ତ୍ର ଟ୍ରକ୍ ‘ଐରାବତ’। ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ । ଝାଡ଼ଖଣ୍ଡରେ ଟ୍ରକଟି ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ଏଥିରେ ହାତୀ ସ୍ଥାନାନ୍ତର ପାଇଁ ଆବଶ୍ୟକ ହେଉଥିବା ସବୁ ଯନ୍ତ୍ରପାତି ଉପଲବ୍ଧ । ‘ଐରାବତ’ ଟ୍ରକରେ ହାତୀ ଉଠିବାକୁ ସ୍ବତନ୍ତ୍ର ଲିଫଟ ଲାଗିଛି । ଟ୍ରକରେ ୧୫ ଶହ ଲିଟର ଜଳଧାରଣ କରୁଥିବା ଟ୍ୟାଙ୍କ୍ ରହିଛି । ଦୂର ସ୍ଥାନକୁ ହାତୀ ସ୍ଥାନାନ୍ତର ସମୟରେ ହାତୀର ଗାଧୋଇବା ଓ ପିଇବା ପାଇଁ ଯେପରି ପାଣିର ଅଭାବ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି ।ସେହିପରି ଜଳାଶୟରୁ ପାଣି ଭର୍ତ୍ତି କରାଯିବାକୁ ଏକ ପାଣି ପମ୍ପ ରହିଛି । ହାତୀର ତାପମାତ୍ରା ମାପିବାକୁ ଅଟୋମେମେଟିକ୍ ମେସିନ୍ ଓ ଫାଷ୍ଟଏଡ୍ ବକ୍ସ ଖଞ୍ଜା ଯାଇଛି। ସେଥିରେ ୨ ହଜାର ୱାଟର ଜେନେରେଟର ଲାଗିବା ସହିତ ଆଲୋକୀକରଣ ପାଇଁ ଉଜ୍ଜ୍ବଳ ଲାଇଟ୍ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଅସୁସ୍ଥ ସୁସ୍ଥ ହାତୀ ଖାଇବା ପାଇଁ ସେଥିରେ ସ୍ବତନ୍ତ୍ର ପାତ୍ର ରଖାଯାଇଛି । ଗାଡ଼ିଟି ହାତୀକୁ ଅନ୍ୟ ସ୍ଥାନକୁ ନେଇ ଯାଉଥିବାବେଳେ ସାଇରନ୍ ବାଜି ଉଠିବ । ଫଳରେ ଟ୍ରାଫିକ୍ ସମସ୍ୟାରେ ‘ଐରାବତ’ ଫସିବ ନାହିଁ । ଏହି ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ।