ସମ୍ବଲପୁରରେ ହେବ OUAT ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଖୁବଶୀଘ୍ର ସମ୍ବଲପୁରରେ ପ୍ରତିଷ୍ଠା ହେବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ଦିତ୍ୱୀୟ କ୍ୟାମ୍ପସ । ଏହା ସହ ରାଜ୍ୟର ଆଉ 2ଟି ସ୍ଥାନ ମୟୂରଭଞ୍ଜ ଏବଂ ବ୍ରହ୍ମପୁରରେ କୃଷି ମହାବିଦ୍ୟାଳୟ (Agricultural Colleges) ପ୍ରତିଷ୍ଠା ହେବ । ସେହିପରି ସୋନପୁରରେ ଏକ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ପ୍ରତିଷ୍ଠା କରାଯିବ । OUATର 64ତମ ପ୍ରତିଷ୍ଠା ଦିବସ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହି ଘୋଷଣା କରିଛନ୍ତି ।

ସମ୍ବଲପୁରରେ ହେବ ଓୟୁଏଟିର ଦିତ୍ୱୀୟ କ୍ୟାମ୍ପସ:OUATର 64ତମ ପ୍ରତିଷ୍ଠା ଦିବସରେ କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, ସମ୍ବଲପୁରରେ OUATର ଆଉ ଏକ କ୍ୟାମ୍ପସ୍ ହେବ । ସେଠାକୁ ଖୁବଶୀଘ୍ର ଏକ ଟିମ୍‌ ଭିଜିଟ କରିବ । ଏହା ସହିତ ମୟୂରଭଞ୍ଜ ଓ ବ୍ରହ୍ମପୁରରେ ମଧ୍ୟ କୃଷି କଲେଜ ଖୋଲାଯିବ । ସେପଟେ ସୋନପୁରରେ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ ଆହୁରି କହିଛନ୍ତି, “୬୪ ବର୍ଷ ମଧ୍ୟରେ ଗୋଟିଏ OUAT କାର୍ଯ୍ୟକ୍ଷମ ରହିଥିଲା । ଆଗକୁ ମଧ୍ୟ ଆହୁରି କୃଷି ଓ ଗବେଷଣା ପାଇଁ କଲେଜ ଖୋଲାଯିବ ।”

ଆନ୍ଧ୍ରର ମଡେଲ ଆପଣାଇବ ଓଡିଶା !:ଆନ୍ଧ୍ର ମାଡ଼େଲକୁ ଆପଣାଇବ ଓଡିଶା । କିଭଳି ଭାବରେ ଇଣ୍ଟିଗ୍ରେଟେଡ୍‌ ଫାର୍ମୀ କରାଯିବ ସେନେଇ ଆନ୍ଧ୍ର ଠାରୁ ଶିଖିଵ ଓଡିଶା । ସାରକାର ଏଥିପ୍ରତି ଧ୍ୟାନ ଦେଉଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “ମତ୍ସ୍ୟ ପାଳନରେ ଆନ୍ଧ୍ରରେ ରାଜ୍ୟପାଳଙ୍କ ବଡ ନାମ ରହିଛି । ସେ ତାଙ୍କ ଅନୁଭବରୁ କହିଛନ୍ତି ବା ପରାମର୍ଶ ଦେଇଛନ୍ତି । ତାହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୁ । ସେପଟେ “ଆମ ମଡେଲ କରୁଛୁ, ଓଡ଼ିଶାରେ କିଭଳି ଉତ୍ପାଦନ ବଢିବା ସେନେଇ ଧ୍ୟାନ ଦିଆଯାଉଛି” ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ଖାଦ୍ୟରେ ସାରର ବ୍ୟବହାର କମ କରିବା ଆବଶ୍ୟକ:ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେବଳ ଭଲ ପନିପରିବା ଆଦି ବାହାରକୁ ଏକ୍ସପୋର୍ଟ କରାଯାଉଛି । ଏନେଇ ବିଭାଗ ନଜର ଦେଇଛି । ଚାଷ ବୃଦ୍ଧି କରିବାର ଅଛି । କ୍ଷେତରେ ସାର ପ୍ରୟୋଗ କମ କରିବା ଆବଶ୍ୟକ । ଚାଷୀମାନେ ସବୁବେଳେ ଅଗ୍ରାନିକ ଭାବରେ ଚାଷ କରିବା ଆବଶ୍ୟକ । ଏହା ଦ୍ୱାରା ଚାଷ ଦୁଇ ଗୁଣା ହେବ । ଏଭଳି ବାରମ୍ବାର ସାର ବ୍ୟବହାର କରିଲେ ମାଟି ଓ ଚାଷର ମୂଲ୍ୟ କମିଯାଇଥାଏ । ଏହାସହ ସବୁବେଳେ ଅଗ୍ରାନିକ ଭାବରେ ଚାଷ କରନ୍ତୁ ବୋଲି ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

ଓଡିଶାକୁ ଅଣ୍ଟୁନାହିଁ ଅଣ୍ଡା:ଓଡିଶାକୁ ଆହୁରି ଅଧିକରୁ ଅଧିକ ଅଣ୍ଡା ଉତ୍ପାଦନ ଆବଶ୍ୟକ ରହିଛି । ରାଜ୍ୟରେ ଅଣ୍ଡା ଉତ୍ପାଦନ ଦିନକୁ ୧ କୋଟି ୭ ଲକ୍ଷ ରହିଥିଲା । ବର୍ତ୍ତମାନ ୧ କୋଟି ୧୨ରୁ ୧୫ ଲକ୍ଷକୁ ବୃଦ୍ଧି ପାଇଛି । ଓଡିଶାକୁ ଆହୁରି ଅଣ୍ଡା ଆବଶ୍ୟକ । ଯାହା ୧ କୋଟି ଦିନକୁ ବୃଦ୍ଧି କରିବାକୁ ଯୋଜନା କରାଯାଇଛି ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ସେ କହିଛନ୍ତି, “ଭାରତ ତଥା ଓଡିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ କୃଷି ସଂକଳ୍ପ ଯାତ୍ରା ଆରମ୍ଭ କରାଯାଇଛି । ଏହା ସହିତ ମିଶ୍ରିତ ଚାଷ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗେଇ ଦେଇଛନ୍ତି । କାମଧେନୁ ଯୋଜନାରେ ୭୦ ପ୍ରତିଶତ ସବସିଡ଼ି ଦେଇ ଚାଷୀଙ୍କୁ ଦୁଇଟି ଗାଈ ଦିଆଯାଉଛି । ପୂର୍ବରୁ ଯୋଜନା ବାଟ ମାରଣା ହେଉଥିଲା । ନିର୍ଦ୍ଦିଷ୍ଟ ଚାଷୀଙ୍କ ହାତରେ ଯୋଜନା ବନ୍ଧା ପଡିଥିଲା । ଆଜି ସମସ୍ତଙ୍କୁ ଯୋଜନାର ଲାଭ ମିଳୁଛି ।”

କଳାହାଣ୍ଡି ଏବେ ଓଡ଼ିଶାର ଭାତହାଣ୍ଡି:ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀ ଆତ୍ମହତ୍ୟାକୁ ନେଇ ବଦନାମ ଥିଲା କଳାହାଣ୍ଡି । ଏବେ ଓଡିଶାର ଭାତହାଣ୍ଡି ପାଲଟିଛି କଳାହାଣ୍ଡି । ରାଜ୍ୟର ଆମ୍ବ ଏବେ ବିଦେଶକୁ ରାପ୍ତାନୀ ହେଉଛି । କିଲୋଗ୍ରାମ ପିଛା ୨୦ ଟଙ୍କାରେ ଆମ୍ବ ଓଡିଶାରେ ବିକ୍ରି ହେଉଥିଲା । ଏବେ ଟଙ୍କା ୫୫ ଟଙ୍କା କେଜି ଅନୁସାରେ, ୟୁଏଇ, ଦୁବାଇ, ଲଣ୍ଡନ ଓ ପ୍ୟାରସକୁ ରପ୍ତାନୀ ହେଉଛି ।

କାମ ଲାଗୁନି ଚାଷୀଙ୍କ ଟ୍ରେନିଂ: କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି, “ଅନେକ ସମୟରେ ଚାଷୀଙ୍କୁ ଟ୍ରେନିଂ ଦିଆଯାଉଛି । ହେଲେ କୃଷି ବିଜ୍ଞାନ କେନ୍ଦ୍ର ଟ୍ରେନିଂ ପାଇବା ପରେ ତାହାକୁ କାର୍ଯ୍ୟରେ ଲଗାଇ ପାରୁନାହାନ୍ତି ଚାଷୀ ।” ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିବା ବେଳେ ଏଭଳି ସମସ୍ୟା ଉପଲବ୍ଧି କରିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ହରିବାବୁ । ଏହାର ସମାଧାନ ପାଇଁ ବିଭିନ୍ନ ଚାଷକୁ ନେଇ ପ୍ରୋଜେକ୍ଟ ପ୍ରୋଫାଇଲ ବିଶ୍ୱବିଦ୍ୟାଳୟ ଉନ୍ମୋଚନ କରୁ ବୋଲି କହିଛନ୍ତି ରାଜ୍ୟପାଳ ।କାହିଁକି ମାଛ ଉତ୍ପାଦନରେ ପଛରେ ଓଡିଶା:ରାଜ୍ୟରେ ସବୁ ସାଧନ ଥାଇ ମଧ୍ୟ କାହିଁକି ମାଛ ଉତ୍ପାଦନରେ ପଛରେ ଓଡିଶା । ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଜ୍ୟପାଳ । ଭଦ୍ରକ ଗସ୍ତ ସମୟର ଉଦାହରଣ ଦେଇ ରାଜ୍ୟପାଳ କହିଛନ୍ତି, “ଭଦ୍ରକର କିଛି ବ୍ଲକ ଗସ୍ତ ବେଳେ ଧାନ ଚାଷ ହେଉଥିବା ଦେଖିଲି । ହେଲେ ମାଛ ଚାଷ ଦେଖି ପାରିଲି ନାହିଁ । ୪୦ ପ୍ରତିଶତ ମାଛ ବାହାର ରାଜ୍ୟରୁ ଆସୁଛି । ଓଡିଶାରେ ମାଛ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି । କେମିତି ମାଛ ଚାଷ ବୃଦ୍ଧି ହେବ ସେନେଇ OUAT ଏକ ପ୍ରୋଜେକ୍ଟ ତିଆରି କରୁ । ୨୦୨୪ରେ ଦେଶ ୬୨ ହଜାର କୋଟି ମେରାଇନ ଫୁଡ ଅନ୍ୟ ବିଦେଶକୁ ରପ୍ତାନୀ କରିଥିବା ବେଳେ କେବଳ ଆନ୍ଧ୍ରପ୍ରଦେଶରୁ ୨୦ ହଜାର କୋଟି ରପ୍ତାନୀ ହୋଇଛି । ଓଡିଶା ପାଖରେ ବଙ୍ଗୋପସାଗର ରହିଛି । ଆମେ କାହିଁକି ପଛରେ । ଏପରିକି ଅଣ୍ଡା ଉତ୍ପାଦନରେ ମଧ୍ୟ ଓଡିଶା ପଛରେ । OUAT ଓ ରାଜ୍ୟ ସରକାର ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରନ୍ତୁ ।”