ଚୀନରେ ଓଡ଼ିଶୀ ନୃତ୍ୟର ଝଲକ: ବନ୍ଦେ ମାତରମ୍ ଧୂନରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ମୋଦୀ…

ଜାପାନ ଗସ୍ତ ସାରି ଆଜି ଯେତେବେଳେ ଚୀନର ତିଆଙ୍ଗଜିନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଠିକ୍ ସେତେବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏକ ହୋଟେଲରେ ମୋଦୀଙ୍କୁ ସ୍ବାଗତ କରାଯାଇଥିବା ବେଳେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଦିଆଯାଇଥିବା ମୋଦୀ… ମୋଦୀ ନାରାରେ କମ୍ପିଥିଲା ପରିବେଶ । ଆଉ ଠିକ୍ ଏତିକି ବେଳେ ମୋଦୀଙ୍କ ନଜରରେ ପଡିଥିଲା ଓଡିଶୀ ନୃତ୍ୟ । ଯାହାକୁ ମୋଦୀଙ୍କ ସ୍ବାଗତ ପାଇଁ ପରିବେଷଣ କରୁଥିଲେ ଚୀନର କଳାକାର । ତେବେ ମୋଦୀ ସ୍ବାଗତର ସେହି ମନ୍ତ୍ରମୁଗ୍ଧ ମୂର୍ଚ୍ଛନାମୟ ପରିବେଶକୁ ମନ ଭରି ଉପଭୋଗ କରିଥିବା ବେଳେ ଚାଇନା କଳାକାରଙ୍କ ଦ୍ବାରା ପ୍ରସ୍ତୁତ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଏବଂ ନୃତ୍ୟ ବେଶ୍ ଚମତ୍କାର ହୋଇଥିବାରୁ ମୋଦୀ ସେମାନଙ୍କୁ ପ୍ରଶଂସା କରିବା ସହ ଓଡିଶୀ ନୃତ୍ଯ କରିଥିବା ଜଣେ ଚୀନ କଳାକାରଙ୍କୁ କେଉଁଠୁ ଏ ନୃତ୍ୟ ଶିଖିଥିଲ ବୋଲି ପଚାରିଥିଲେ । ତେବେ ଉତ୍ତରରେ ନୃତ୍ୟଶିଳ୍ପୀ ଜଣଙ୍କ କହିଥିଲେ- ଏହା ମୁଁ କୋଲକାତାରୁ ଶିଖିଥିଲି । ଦୀର୍ଘ ୧୩ ବର୍ଷ ଧରି ଓଡିଶୀ ମୁଁ ଶିଖି ଆସୁଛି ଏବଂ ୨ ମାସ ଧରି ପ୍ରସ୍ତୁତି ପରେ ଆଜି ଆପଣଙ୍କ ସାମ୍ନାରେ ନୃତ୍ୟ କରିବାର ସୌଭାଗ୍ୟ ମିଳିଛି କହି ମୋଦୀଙ୍କ ପ୍ରତି ସମ୍ମାନ ଜଣାଇଥିଲେ କଳାକାର ।