
ଭଦ୍ରକ: ବୟସ ଆସି ୬୨ହେଲାଣି । ଆଖିରେ କଳା ଚଷମା ହାତରେ ଆଶାବାଡି । ସାଧାରଣ ଲୋକଟିଏ ଦେଖିଲେ ଆଶ୍ଚର୍ଯ୍ୟ ହେବ । ଏତେଗୁଡିଏ ପିଲାଙ୍କୁ ସେ କିପରି ପାଠ ପଢାଉଛନ୍ତି ? ଘର ଆଗରେ ରାତି ପାହିଲେ ଛାତ୍ରଛାତ୍ରୀ ମାନଙ୍କ ଭିଡ ଜମେ। ତାଙ୍କ ପାଠ ପଢାଇବା ଶୈଳି ଏପରି ଯେ ଯେକେହି ଦେଖିଲେ ତାଜୁବ୍ ହେବ । ଗଣିତ ହେଉ କି ଇଂରାଜୀ କିମ୍ୱା ସାହିତ୍ୟ ହେଉ ଅବା ଚିତ୍ରାଙ୍କନ । ସବୁ ପାଠକୁ ସହଜ ଓ ସରଳ ଭାବେ ପିଲା ମାନଙ୍କୁ ବୁଝାଇଥାଆନ୍ତି । ତାଙ୍କ ପାଖରେ ପଢୁଥିବା ପିଲା ପ୍ରତିବର୍ଷ ପଂଚାୟତରେ ସର୍ବୋଚ୍ଚ ନମ୍ୱର ରଖୁଥିବା ମେଧାବୀ ଛାତ୍ର ।ସବୁଠୁ ବଡ଼ କଥା ହେଉଛି ସେ ଜଣେ ଦୃଷ୍ଟିବାଧିତ ଶିକ୍ଷକ । ଠିକ୍ ରେ ଦୁନିଆ ଦେଖିପାରୁ ନାହାଁନ୍ତି ହେଲେ ପିଲାମାନଙ୍କୁ ପାଠ ବୁଝାଇବାରେ ଠିକେ ହେଳା କରନ୍ତି ନାହିଁ । ଆମେ କହୁଛୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୁଆସାହି ଗାଁର ଭାସ୍କର ଚନ୍ଦ୍ର ମଳିକ । ଯେଉଁ ଗାଁରେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା ଅଧିକ। ବାପା ଜଗବନ୍ଧୁ ମଳିକ ଓ ମା କୌଶଲ୍ୟା ମଳିକଙ୍କର ଏ ହେଉଛନ୍ତି ବଡ଼ ପୁଅ । ତାଙ୍କଠାରୁ ଶିକ୍ଷା ଅଧ୍ୟୟନ କରି ବହୁ ମେଧାବୀ ଛାତ୍ର ନିର୍ମାଣ ହୋଇ ଆଜି ବହୁ ପଦପଦବିରେ ଅବସ୍ଥାପିତ ହୋଇଛନ୍ତି । ମାତ୍ର ଏହି ଦିବ୍ୟାଙ୍ଗ ଶିକ୍ଷକ ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ପଛାଇ ଯାଇନାହାନ୍ତି ଏହି ସମାଜ ଆଗରେ ।ତେବେ ମାତ୍ର +2ରେ ବିଜ୍ଞାନ ପଢୁଥିବା ସମୟରେ ଆଖିରେ ପ୍ରଭାବ ପଡିଥିବାବେଳେ କଲେଜର ଅଧ୍ୟାପକମାନେ ବିଜ୍ଞାନ ପଢିବାକୁ ମନା କରିଦେଲେ । ତାପରେ ସେ ବିଜେପି କଲେଜରେ ବିକମ ପଢିବାବେଳେ ଦୁଇ ଆଖିରେ ଯନ୍ତ୍ରଣା ଦେଖାଦେଇଥିଲା । ଅର୍ଥ ଅଭାବ ଅନଟନ ଭିତରେ ଅଧିକ ଚିକିତ୍ସା ପଇଁ ଅର୍ଥ ବାଧକ ସାଜିଲା । ପାଠ ପଢାରେ ଡୋରୀ ବାନ୍ଧି ଘରେ ଆସି ରହିଲେ ଭାସ୍କର ସାର । ବାପା ମାଙ୍କୁ ପାଖରେ ରଖି ପରିବାର ପ୍ରତିପୋଷଣ ପାଇଁ ଏକମାତ୍ର ଭରଷା ପାଲଟିଲା ଘରୋଇ ଟିୟୁସନ। ପ୍ରଥମେ ନିଜ ପିଲା ମାନଙ୍କୁ ପାଠ ପଢାଇ ସଫଳତା ପାଇବା ପରେ ଆଖପାଖର ପିଲାଙ୍କ ସୁଅ ଛୁଟିଲା । ଭାସ୍କର ସାରଙ୍କ ପରିଚୟ ବଢିଲା । ନିଜର ପଢାଇବା ଶୈଳି ଓ ପିଲା ମାନଙ୍କୁ ସ୍ନେହ ଆଦରରେ ସରଳ କରି ଏପରି ବୁଝାଇ ପାଠ ପଢାଇଲେ ଯେ ଅଧିକ ସଂଖ୍ୟାରେ ପିଲାମାନେ ପାଠ ପଢ଼ିବାକୁ ଆସିଲେ । ମନରେ କୌଣସି ବିରକ୍ତ ନଆଣି ଛାତ୍ରଟିଏ ବୁଝିବା ପର୍ଯ୍ୟନ୍ତ ସେ ଚେଷ୍ଟା କରିଥାଆନ୍ତି । ଏଥିପାଇଁ କିଏ ଅର୍ଥ ଦେଲା ତ କିଏ ଗରିବ ପିଲା କହି ଖସିଗଲା । ସେଥିରେ କିନ୍ତୁ ଭାସ୍କର ସାରଙ୍କର ପରବାୟ ନାହିଁ । ଜୀବନର ଏକମାତ୍ର ଲକ୍ଷ ମେଧାବୀ ଛାତ୍ର ନିର୍ମାଣ କରିବା । ପାଠ ପଢାଇବା ସାଙ୍ଗକୁ ପିଲା ମାନଙ୍କୁ ଗଛ ଲଗାଇବା ଓ ପିତା ମାତାଙ୍କୁ ଜୁହାର ହେବା, ବଡ଼ ମଣିଷ ନ ହୋଇ ଭଲ ମଣିଷ ହେବା ଏପରି ବହୁ ନୈତିକ ଶିକ୍ଷା ମଧ୍ୟ ଦେଇଥାଆନ୍ତି ।ସେପଟେ ସରକାରୀ ସାହାଯ୍ୟ ତାଙ୍କ ପାଇଁ ପାଲଟିଛି ସାତ ସପନ । ସରକାରୀ ପ୍ରୋତ୍ସାହନ ସାଙ୍ଗକୁ କୌଣସି ଏକ ଶିକ୍ଷାନୁଷ୍ଠାନରେ ସ୍ଥିର ଭାବେ ରହିବାକୁ ଚାହାଁନ୍ତି । ଫଳରେ ପିଲା ମାନଙ୍କୁ ମାଗଣା ଶିକ୍ଷାଦାନ କରିବା ସହିତ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ମେଧାବୀ କରିବା ପାଇଁ ପ୍ରୟାସ କରିବେ ବୋଲି ତାଙ୍କର ଶେଷ ଇଚ୍ଛା ଅଛି ବୋଲି ସରକାରଙ୍କ ପାଖରେ ନିବେଦନ କରିଛନ୍ତି । ସତରେ ଜଣେ ଦୃଷ୍ଟିବାଧିତ ଶିକ୍ଷକଙ୍କର ଏପରି ଶିକ୍ଷାଦାନକୁ ନେଇ ସବୁଆଡୁ ପ୍ରଶଂସାର ଛୁଅ ଛୁଟୁଛି ।