
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ।ଆଜି ପ୍ରଧାନମନ୍ତ୍ରୀ ମିଜୋରାମ ଗସ୍ତ କରି, ସକାଳ ପ୍ରାୟ ୧୦ଟାରେ ଆଇଜଲରେ ୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବହୁଳ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାସହିତ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧନ କରିବେ।ମିଜୋରାମ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମଣିପୁର ଯିବେ ଏବଂ ପ୍ରାୟ ୧୨:୩୦ରେ ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବହୁଳ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଠାରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହାସହିତ, ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୨:୩୦ରେ ଇମ୍ଫାଲରେ ୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରି ଏକ ସାଧାରଣ ସମାବେଶକୁ ସମ୍ବୋଧନ କରିବେ।ପରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରି ସନ୍ଧ୍ୟା ପ୍ରାୟ ୫ ଟାରେ ଗୌହାଟୀରେ, ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।ସେପ୍ଟେମ୍ବର ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଆସାମରେ ୧୮,୫୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରମୁଖ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ସେ ପ୍ରାୟ ୧୧ଟାରେ ଦାରଙ୍ଗରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବେ। ଏହା ପରେ ସେ ଅପରାହ୍ନ ୧: ୪୫ରେ ଗୋଲାଘାଟରେ ଆସାମ ବାୟୋ-ଇଥାନଲ୍ ପ୍ରାଇଭେଟ୍ ଲିମିଟେଡ୍, ନୁମାଲିଗଡ଼ ରିଫାଇନାରୀ ପ୍ଲାଣ୍ଟର ଉଦଘାଟନ କରିବେ। ସେ ଗୋଲାଘାଟରେ ପଲିପ୍ରୋପିଲିନ୍ ପ୍ଲାଣ୍ଟର ମଧ୍ୟ ଶିଳାନ୍ୟାସ କରିବେ।ସେହିପରି ସେପ୍ଟେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି, ସକାଳ ପ୍ରାୟ ୯:୩୦ ଟାରେ କୋଲକାତାରେ ୧୬ତମ ମିଳିତ କମାଣ୍ଡର୍ସ ସମ୍ମିଳନୀ-୨୦୨୫ର ଉଦଘାଟନ କରିବେ।ଏହା ପରେ, ପ୍ରଧାନମନ୍ତ୍ରୀ ବିହାର ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୨:୪୫ରେ ପୂର୍ଣ୍ଣିଆ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଉଦଘାଟନ କରିବେ। ଏହା ବ୍ୟତୀତ, ସେ ପୂର୍ଣ୍ଣିଆରେ ପ୍ରାୟ ୩୬,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ। ସେ ବିହାରରେ ଜାତୀୟ ମାଖାନା ବୋର୍ଡର ମଧ୍ୟ ଶୁଭାରମ୍ଭ କରିବେ।