
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଣିପୁର ମାଟି ହେଉଛି ସାହସ ଓ ଦୃଢ଼ତାର ଭୂମି ଏବଂ ମଣିପୁରର ପାହାଡ଼ଗୁଡ଼ିକ ପ୍ରକୃତିର ଏକ ଅମୂଲ୍ୟ ଉପହାର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପାହାଡ଼ଗୁଡ଼ିକ ଲୋକଙ୍କ ନିରନ୍ତର କଠିନ ପରିଶ୍ରମକୁ ମଧ୍ୟ ପ୍ରତିନିଧିତ୍ୱ କରୁଛି। ମଣିପୁରର ଲୋକଙ୍କ ଅଦମ୍ୟ ମନୋବଳକୁ ସଲାମ ଜଣାଇ ଶ୍ରୀ ମୋଦୀ ଏତେ ବିପୁଳ ସଂଖ୍ୟାରେ ଆସିଥିବା ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି।ଏହି ଅଞ୍ଚଳର ସଂସ୍କୃତି, ପରମ୍ପରା, ବିଭିନ୍ନତା ଏବଂ ପ୍ରାଣବନ୍ତ ଭାରତର ଏକ ପ୍ରମୁଖ ଶକ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, “ମଣିପୁର” ନାମରେ “ମଣି” ଶବ୍ଦ ରହିଛି, ଯାହା ଆଗାମୀ ସମୟରେ ସମଗ୍ର ଉତ୍ତର-ପୂର୍ବର ଉଜ୍ଜ୍ୱଳତାକୁ ଆହୁରି ବୃଦ୍ଧି କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାର ମଣିପୁରର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ନିରନ୍ତର ଭାବରେ କାର୍ଯ୍ୟ କରିଆସୁଛି। ସେ କହିଛନ୍ତି ଯେ, ଏହି ମନୋଭାବ ନେଇ ସେ ଆଜି ମଣିପୁରର ଲୋକଙ୍କ ମଧ୍ୟକୁ ଆସିଛନ୍ତି। ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ, ପ୍ରାୟ ୭,୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରାଯାଇଛି। ଯାହା ମଣିପୁରର, ବିଶେଷକରି ପାହାଡ଼ରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଜୀବନ ଶୈଳୀକୁ ଉନ୍ନତ କରିବ। ସେ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନୂତନ ସୁବିଧା ସୃଷ୍ଟି କରିବ । ଏଥିସହିତ ଏହି ନୂତନ ପଦକ୍ଷେପ ପାଇଁ ମଣିପୁର ଓ ଚୁରାଚାନ୍ଦପୁରର ଲୋକଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କର ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ସରକାରଙ୍କ ଅଧୀନରେ, ମଣିପୁରରେ ରେଳ ସଂଯୋଗୀକରଣ ବିସ୍ତାର କରାଯାଉଛି। ଜିରିବାମ୍-ଇମ୍ଫାଲ୍ ରେଳ ଲାଇନ ଖୁବ୍ ଶୀଘ୍ର ରାଜଧାନୀ ଇମ୍ଫାଲ୍କୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ”। ଏହି ପ୍ରକଳ୍ପରେ ସରକାର ୨୨,୦୦୦ କୋଟି ଟଙ୍କା ବିନିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଇମ୍ଫାଲ୍ ବିମାନବନ୍ଦର ଏହି ଅଞ୍ଚଳରେ ବିମାନ ସଂଯୋଗୀକରଣକୁ ଉନ୍ନତ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିମାନବନ୍ଦରରୁ ଦେଶର ଅନ୍ୟାନ୍ୟ ଅଂଶକୁ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ କରାଯାଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ବର୍ଦ୍ଧିତ ସଂଯୋଗୀକରଣ ମଣିପୁରର ଲୋକଙ୍କ ସୁବିଧାକୁ ଉନ୍ନତ କରୁଛି ଏବଂ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି।ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି, “ଭାରତ ଦ୍ରୁତ ଗତିରେ ବିକାଶ କରୁଛି ଏବଂ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ବିକାଶର ଲାଭ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିବା ସୁନିଶ୍ଚିତ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି’’ । ସେ ସ୍ମରଣ କରାଇଛନ୍ତି ଯେ, ଗୋଟିଏ ସମୟ ଥିଲା ଯେତେବେଳେ ଦିଲ୍ଲୀରେ କରାଯାଉଥିବା ଘୋଷଣାଗୁଡ଼ିକ ମଣିପୁର ଭଳି ଅଞ୍ଚଳଗୁଡ଼ିକରେ ପହଞ୍ଚିବାକୁ ଦଶନ୍ଧି ଲାଗିଯାଉଥିଲା। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆଜି ଚୁରାଚାନ୍ଦପୁର ଏବଂ ମଣିପୁର ଦେଶର ଅନ୍ୟାନ୍ୟ ଅଞ୍ଚଳ ସହିତ ତାଳଦେଇ ପ୍ରଗତି କ୍ଷେତ୍ରରେ ଆଗକୁ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ଏହା ଉପରେ ଆଲୋକପାତ କରିଛନ୍ତି ଯେ, ସରକାର ଗରିବଙ୍କ ନିମନ୍ତେ ପକ୍କା ଘର ନିର୍ମାଣ ପାଇଁ ଏକ ଦେଶବ୍ୟାପୀ ଯୋଜନା ଆରମ୍ଭ କରିଥିଲେ, ଏହି ଯୋଜନା ଦ୍ୱାରା ମଣିପୁରରେ ହଜାର ହଜାର ପରିବାର ଉପକୃତ ହୋଇଛନ୍ତି। ପ୍ରାୟ ୬୦,୦୦୦ ଘର ପୂର୍ବରୁ ନିର୍ମାଣ ହୋଇସାରିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଏହି ଅଞ୍ଚଳ ପୂର୍ବରୁ ଘୋର ବିଦ୍ୟୁତ୍ ଅଭାବର ସମ୍ମୁଖୀନ ହେଉଥିଲା। ସେ କହିଛନ୍ତି ଯେ, ତାଙ୍କ ସରକାର ଲୋକମାନଙ୍କୁ ଏହି କଷ୍ଟରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେଇଥିଲେ ଏବଂ ଫଳସ୍ୱରୂପ, ମଣିପୁରରେ ଏକ ଲକ୍ଷରୁ ଅଧିକ ପରିବାର ମାଗଣା ବିଦ୍ୟୁତ୍ ସଂଯୋଗ ପାଇଛନ୍ତି।ମଣିପୁରରେ ମା’ ଏବଂ ଭଉଣୀମାନେ ଦୀର୍ଘ ଦିନ ଧରି ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମସ୍ୟାର ସମାଧାନ ପାଇଁ ସରକାର ‘ହର ଘର ନଲ୍ ସେ ଜଳ’ ଯୋଜନା ଆରମ୍ଭ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ, ସାରା ଦେଶରେ ୧୫ କୋଟିରୁ ଅଧିକ ଲୋକ ପାଇପ୍ ପାଣି ସଂଯୋଗ ପାଇଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ୭-୮ ବର୍ଷ ପୂର୍ବେ, ମଣିପୁରରେ କେବଳ ୨୫,୦୦୦ ରୁ ୩୦,୦୦୦ ପରିବାର ପାଇପ୍ ପାଣି ପାଉଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ, ଆଜି, ରାଜ୍ୟର ୩.୫ ଲକ୍ଷରୁ ଅଧିକ ପରିବାର ଟ୍ୟାପ୍ ପାଣି ପାଇପାରୁଛନ୍ତି। ଖୁବ୍ ଶୀଘ୍ର, ମଣିପୁରର ପ୍ରତ୍ୟେକ ପରିବାରଙ୍କ ଘରକୁ ପାଇପ୍ ପାଣି ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି।
ମଣିପୁରରେ ଜୀବନକୁ ପୁନର୍ବାର ସୁଗଠିତ କରିବା ପାଇଁ ଭାରତ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି ବୋଲି ଦୃଢୋକ୍ତି କରି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ, ବିସ୍ଥାପିତ ପରିବାର ପାଇଁ ସରକାର ୭,୦୦୦ ନୂତନ ଘର ନିର୍ମାଣ ପାଇଁ ସହାୟତା ଯୋଗାଇ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ରାୟ ୩,୦୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ସମ୍ପ୍ରତି ମଞ୍ଜୁର କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିସ୍ଥାପିତ ବ୍ୟକ୍ତିମାନଙ୍କୁ ସହାୟତା କରିବା ପାଇଁ ୫୦୦ କୋଟି ଟଙ୍କା ସ୍ୱତନ୍ତ୍ର ଭାବରେ ଆବଣ୍ଟନ କରାଯାଇଛି।ମଣିପୁରର ଆଦିବାସୀ ଯୁବକମାନଙ୍କ ସ୍ୱପ୍ନ ଓ ସଂଘର୍ଷ ବିଷୟରେ ସେ ଭଲ ଭାବରେ ଅବଗତ ବୋଲି ସ୍ୱୀକାର କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ସେମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ ବହୁବିଧ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ସରକାର ସ୍ଥାନୀୟ ପ୍ରଶାସନ ସଂସ୍ଥାଗୁଡ଼ିକୁ ମଝବୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କ ବିକାଶ ପାଇଁ ଉପଯୁକ୍ତ ପାଣ୍ଠି ବ୍ୟବସ୍ଥା କରାଯାଉଛି।“ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟର ବିକାଶ ଏକ ଜାତୀୟ ପ୍ରାଥମିକତା”, ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି ଯେ, ପ୍ରଥମ ଥର ପାଇଁ, ଆଦିବାସୀ ଅଞ୍ଚଳର ବିକାଶ ପାଇଁ ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ କାର୍ଯ୍ୟକାରୀ କରାଯାଉଛି। ଏହି ପଦକ୍ଷେପ ଅଧୀନରେ, ମଣିପୁରର ୫୦୦ ରୁ ଅଧିକ ଗାଁରେ ବିକାଶ କାର୍ଯ୍ୟ ଜାରି ରହିଛି। ସେ କହିଛନ୍ତି ଯେ, ଆଦିବାସୀ ଅଞ୍ଚଳରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି କରାଯାଉଛି। ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ମଣିପୁରରେ ୧୮ ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଉଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ସ୍କୁଲ ଏବଂ କଲେଜର ଆଧୁନିକୀକରଣ ଦ୍ୱାରା ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ଶିକ୍ଷାଗତ ସୁବିଧା ଯଥେଷ୍ଟ ବୃଦ୍ଧି ପାଇବ।ମଣିପୁରର ସଂସ୍କୃତି ସର୍ବଦା ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିଆସିଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କରିଛନ୍ତି ଯେ, ସରକାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ସେ ସୂଚନା ଦେଇଛନ୍ତି ଯେ, ମଣିପୁରର ମହିଳାମାନଙ୍କୁ ସମର୍ଥନ କରିବା ପାଇଁ ସରକାର କର୍ମଜୀବୀ ମହିଳା ଛାତ୍ରାବାସ ନିର୍ମାଣ କରୁଛନ୍ତି।ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି, “ଆମେ ମଣିପୁରକୁ ଶାନ୍ତି, ସମୃଦ୍ଧି ଏବଂ ପ୍ରଗତିର ପ୍ରତୀକ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛୁ”। ସେ ଲୋକମାନଙ୍କୁ ଆଶ୍ୱାସନା ଦେଇ ଶେଷରେ କହିଛନ୍ତି ଯେ, ମଣିପୁରର ବିକାଶ, ବିସ୍ଥାପିତ ପରିବାରର ପୁନର୍ବାସ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ, ଭାରତ ସରକାର ମଣିପୁର ସରକାରଙ୍କୁ ପ୍ରତ୍ୟେକ ସ୍ତରରେ ସମର୍ଥନ ଜାରି ରଖିବେ।ଏହି କାର୍ଯ୍ୟକ୍ରମରେ ମଣିପୁର ରାଜ୍ୟପାଳ ଶ୍ରୀ ଅଜୟ କୁମାର ଭଲ୍ଲାଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।