ଜଗନ୍ନାଥପ୍ରସାଦ ବ୍ଲକ୍‌ରେ ମିଳିତ ଅଭିଯୋଗ ଶୁଣାଣି; ୩୦୪ ଅଭିଯୋଗ ଶୁଣିଲା ପ୍ରଶାସନ

ଭଞ୍ଜନଗର ୧୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ଏସଡିପିଓ ଡ. ଦିପକ କୁମାର ମିଶ୍ର ଉପସ୍ଥିତ ରହି ଜନ ସାଧରଣଙ୍କ ଅଭିଯୋଗ ଶୁଣିଥିଲେ। ଅତିରିକ୍ତ ଜିଲ୍ଲାପାଳ ମୋଟ ୩୦୪ ଟି ଅଭିଯୋଗ ଶୁଣିବା ସହ ଜଣକୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ନୂତନ ଭତ୍ତା, ରାସନକାର୍ଡ଼, ଆବାସ ଓ ମନରେଗା ଆଦି ସଂପର୍କିତ ଅଭିଯୋଗ ମିଳିତ ଅଭିଯୋଗ ଶୁଣାଣିରେ ଉପସ୍ଥାପିତ ହୋଇଥିଲା। ଜଗନ୍ନାଥପ୍ରସାଦ ବ୍ଲକର ତାଳଖମଣ, ମଣ୍ଡାପଥର ଓ ଡାଙ୍ଗିଭୁଇଁ ଭଳି ଆଦିବାସୀ ଗ୍ରାମକୁ ରାସ୍ତା, ବିଜୁଳି ଓ ପାନୀୟଜଳ ଦେବାର ବନ୍ଦୋବସ୍ତ କରିବାକୁ କ୍ରାନ୍ତିକାରୀ କୃଷକ ସଭା, ଆଦିବାସୀ ଭାରତ ମହାସଭା, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରତିଟି ଅଭିଯୋଗକୁ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିବା ସହ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ ହୋଇଥିଲା । ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଜନ ଶୁଣାଣି ଶିବିରରେ ଜଗନ୍ନାଥପ୍ରସାଦ ବିଡିଓ ମନ୍ମଥ କୁମାର ମଲ୍ଲିକ, ତହସିଲଦାର ଓ ଥାନାଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଏବଂ ବ୍ଳକସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।