ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ସ୍ପନସର, ଗୋଟିଏ ମ୍ୟାଚ୍ ପାଇଁ ୪.୫ କୋଟି ଟଙ୍କା ଦେବ ଆପୋଲୋ ଟାୟାର୍ସ

ଭାରତୀୟ କ୍ରିକେଟ୍ ଟିମକୁ ନୂଆ ଜର୍ସି ପ୍ରାୟୋଜକ ମିଳିଛି । ଆପୋଲୋ ଟାୟର୍ସ ଅଫିସିଆଲ ଭାବେ ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ସ୍ପନସର ହୋଇଛି । ଆପୋଲୋ ଟାୟର୍ସ ନିଲାମ ପ୍ରକ୍ରିୟାରେ ବିଜୟୀ ହୋଇଛି । ପ୍ରତ୍ୟେକ ମ୍ୟାଚ୍ ପାଇଁ ବିସିସିଆଇକୁ ୪.୫ କୋଟି ଟଙ୍କା ଦେବ, ଯାହା ପୂର୍ବ ପ୍ରାୟୋଜକ ଡ୍ରିମ ୧୧ ଦ୍ୱାରା ଦିଆଯାଉଥିବା ୪ କୋଟି ଟଙ୍କାଠାରୁ ଅଧିକ । ଏହି ନୂଆ ଡିଲ୍ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ସୀମା ମଧ୍ୟରେ ଭାରତ ପାଖାପାଖି ୧୩୦ଟି ମ୍ୟାଚ୍ ଖେଳିବ ।ଖବର ମୁତାବକ, ଟିମ୍ ଇଣ୍ଡିଆ ଜର୍ସି ସ୍ପନସର ପାଇଁ ଆଜି ନିଲାମୀ ପ୍ରକ୍ରିୟା ହୋଇଥିଲା । ନିଲାମୀ ଦୌଡରେ କେନୱା ଏବଂ ଜେକେ ଟାୟାର ମଧ୍ୟ ରହିଥିଲା । କିନ୍ତୁ ଆପୋଲୋ ଟାୟର ଏମାନଙ୍କୁ ପଛରେ ପକାଇ ବାଜି ମାରିନେଇଛି । ଏହାସହିତ ବିର୍ଲା ଓପ୍ଟସ ପେଣ୍ଟସ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲା । କିନ୍ତୁ ନିଲାମୀରେ ସାମିଲ ହେଲା ନାହିଁ ।ବିସିସିଆଇ ନିଜ ପ୍ରେସ ରିଲିଜରେ କହିଥିଲା କି, ଗେମିଂ, ବେଟିଂ, କ୍ରିପ୍ଟୋ ଏବଂ ତମାଖୁ ସହ ଜଡିତ କୌଣସି କମ୍ପାନୀ ସ୍ପନସରସିପ ପାଇଁ ଆବେଦନ କରିପାରିବ ନାହିଁ । ଏହାସହିତ ବ୍ୟାଙ୍କିଂ, ଫାଇନାନ୍ସିଆଲ କମ୍ପାନୀ ମଧ୍ୟ ଏଥିରେ ସାମିଲ ହୋଇପାରିବ ନାହିଁ ।ଟିମ୍ ଇଣ୍ଡିଆ ଏବେ ଦୁବାଇରେ ଏସିଆ କପ୍ ଖେଳୁଛି । ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ବିନା ଜର୍ସିରେ ଖେଳିବ । କିନ୍ତୁ ଟୁର୍ଣ୍ଣାମେଣ୍ଟ ସରିବା ପରେ ଆପୋଲୋ ଟାୟାର୍ସ ଟିମ ଜର୍ସିରେ ନଜର ଆସିବ ।