ଝାରପଡ଼ା ଜେଲରୁ ବାହାରିଲେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଶୁକ୍ରବାର ଝାରପଡା ଜେଲରୁ ଜାମିନରେ ମୁକୁଳିଛନ୍ତି। ଜେଲରୁ ବାହାରିବା ସମୟରେ ବହୁ ଛାତ୍ର ନେତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିବା ସହ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ସହର ପରିକ୍ରମା କରାଇଥିଲେ।ଏକ ଦୁଷ୍କର୍ମ ମାମଲାରେ ଉଦିତ ଗିରଫ ହୋଇଥିଲେ। ଏହାପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଜେଲରୁ ବାହାରିବା ପରେ ସେ କହିଛନ୍ତି ଯେ, କଂଗ୍ରେସରୁ ନିଲମ୍ବନ ପ୍ରତ୍ୟାହାର ହେବା ପରେ ମୁଁ କଂଗ୍ରେସ ଭବନକୁ ଯିବି, କାର୍ଯ୍ୟ କରିବି। ସେ ଆହୁରି କହିଛନ୍ତି ପୁଲିସର ଦାୟିତ୍ୱ ଥିଲା ତଦନ୍ତ କରିବା । ରେଜିଷ୍ଟର ଚେକ କରାଯାଇନାହିଁ କିମ୍ବା କଲ୍ ସିଡ଼ିଆର ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇନାହିଁ ।ଚାରିମାସ ତଳର ଘଟଣା ଯଦି ସିସିଟିଭି ଚେକ କରିଛନ୍ତି କି ବୋଲି ପ୍ରଶ୍ନ କରିବା ସାଙ୍ଗକୁ ବିଜେପି ସରକାର ବଳାତ୍କାରୀ ବୋଲି କହିଛନ୍ତି ଉଦିତ । ନିଜ ଚରିତ୍ରକୁ ଲୁଚେଇବାକୁ ଜଣେ ଭଉଣୀଙ୍କୁ ସେମାନେ ମୋହରା କରି ବ୍ୟବହାର କରିଛନ୍ତି। ବିଜେପି ଚକ୍ରାନ୍ତ କରି ମୋତେ ଫସେଇଛି । ସୌମ୍ୟଶ୍ରୀ ଘଟଣାରେ କଂଗ୍ରେସର ଆନ୍ଦୋଳନ ପାଇଁ ବଦନାମ କରିବାକୁ ଚକ୍ରାନ୍ତ କରିଥିଲା ବିଜେପି । ଦଳ ଯେଉଁ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ନେଇଥିଲା ସେ ସମୟରେ ତାହା ଠିକ ଥିଲା । ଝାଳ ରକ୍ତ ଦେଇଛୁ ଦଳ ପାଇଁ, ଆଗାମୀ ଦିନରେ ଦଳରେ ପୁଣି ଯୋଗ ଦେଇ କାମ କରିବି ବୋଲି ସେ କହିଛନ୍ତି ।