
ଭଞ୍ଜନଗର,୨୧/୦୯ (-ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହ ବ୍ୟାପି ଚାଲିଥିବା ଜାତୀୟ ସେବା ଯୋଜନା ପୁରୁଷ ଓ ମହିଳା ଶାଖାର ସ୍ଵତନ୍ତ୍ର କ୍ୟାମ୍ପ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ସେବା ଯୋଜନା ପରାମର୍ଶଦାତା କମିଟିର ଅଫିସର ପ୍ରତିନିଧି ଭାବେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ ଯୋଗଦେଇ ପ୍ରାକୃତିକ ଦୁର୍ବିପାକ ସମୟରେ ଏନଏସଏସ ସ୍ବେଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବିଗତ ଏକ ସପ୍ତାହ ଧରି ସ୍ବେଛାସେବୀ ମାନେ ଚାରା ରୋପଣ, ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଯାହାକି ପ୍ରସଂଶିନୀୟ କାର୍ଯ୍ୟକ୍ରମ ବୋଲି ପ୍ରଧାନ କହିଥିଲେ । ଜାତୀୟ ସେବା ଯୋଜନା ସ୍ବେଛାସେବୀ ଅନୁଷ୍ଠାନର ପ୍ରତିନିଧି ଭାବେ ବିପଦର ବନ୍ଧୁ କର୍ମକର୍ତ୍ତା ପ୍ରଶାନ୍ତ ରାଉତ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ହିଁ ହେଉଛି ପ୍ରକୃତ ସେବା। ଜାତୀୟ ସେବା ଯୋଜନା ସଂସ୍ଥା ସହ ଜଡ଼ିତ ସ୍ବେଛାସେବୀ ମାନେ ଏଥିପ୍ରତି ଧ୍ୟାନ ଦେବାକୁ ପ୍ରଶାନ୍ତ ଉପସ୍ଥିତ ସ୍ବେଛାସେବୀ ଙ୍କୁ ଆହ୍ବାନ କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଯୋଜନା ଅଧିକାରୀ ଡ ରବିନ୍ଦ୍ର କୁମାର ମିଶ୍ର, ପ୍ରାଧ୍ୟାପକ ହର ପ୍ରସାଦ ଶତପଥି , ଜାତୀୟ ସେବା ଯୋଜନା ପୁରୁଷ ଶାଖା ଯୋଜନା ଅଧିକାରୀ ବାବୁଲା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳା ଶାଖା ଯୋଜନା ଅଧିକାରୀ ସସ୍ମିତା ଦାସ ସଭାକୁ ସଂଯୋଜନା କରିଥିଲେ। ସହ ସଂଯୋଜକ ବୁଦ୍ଧି ନାଥ ବରିହା ଧନ୍ୟବାଦ୍ ପ୍ରଦାନ କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ସହଯୋଗରେ ସପ୍ତାହ ବ୍ୟାପି ଚାଲିଥିବା କାର୍ଯ୍ୟକ୍ରମରେ ଚାରା ରୋପଣ, ସଫେଇ ପ୍ରମୁଖ କାର୍ଯ୍ୟକ୍ରମ ହୋଇଥିଲା। ଏଥିସହ ସ୍ବେଛାସେବୀ ମାନକୁ ଏଡ୍ସ ରୋଗର ଭୟାବହତା ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଚେତନତା କରାଯାଇଥିଲା।