
ଭଞ୍ଜନଗର ୨୨/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କଳିଙ୍ଗା ଘାଟିରେ ଭୂସ୍ଖଳନ ପରବର୍ତ୍ତୀ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବର୍ଷା ପାଣି ମାଡି ଆସିବା ସହ ପଥର ଖସିଛି। ବର୍ଷା ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବେନଳେ ଉଭୟ ପଟକୁ ସଂଯୋଗ ଏବେ ବି ବିଚ୍ଛିନ୍ନ ହୋଇ ରହିଥିବା ବେଳେ ପ୍ରାଥମିକ ସ୍ତରରେ ଅସ୍ଥାୟୀ ରାସ୍ତା ବାହାର କରି ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଛି। କିନ୍ତୁ ପୁଣି ଏଭଳି ଅଘଟଣ ଘଟିବାରୁ ନିର୍ମାଣ କାର୍ଯ୍ୟ ବନ୍ଧ ହୋଇଯାଇଛି। ଏହାରି ଭିତରେ ଆଜି ଉକ୍ତ ଭୂସ୍ଖଳନ ସ୍ଥାନରେ ପୁଣି ପ୍ରବଳ ପାଣି ଆସିବା ସହ ବଡ ବଡ ପଥର ଖସିଛି। ସୌଭାଗ୍ୟ ବଶତ ଏଠାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଲୋକ ମାନେ ଘଟଣା ସ୍ଥଳରୁ ଦୌଡି ପଳାଇଥିବାରୁ ନିଜର ପ୍ରାଣ ରକ୍ଷା କରିପାରିଛନ୍ତି। ଘାଟି ରାସ୍ତା ବିପଦ ସଙ୍କୁଳ ରହିଥିବା ବେଳେ ଏହି ଭୂସ୍ଖଳନ ସ୍ଥାନରେ ଏବେ ବି ୨ ଟି ବଡ ପଥର ଲଟକି ରହିଥିବା ଜଣାପଡିଛି। ବର୍ଷା ଲାଗି ରହିଥିବାରୁ ଏହା ମଧ୍ୟ ଖସିବାର ସମ୍ଭାବନା ରହିଛି।
ଏଥିସହ ମାଟି ପକାଇ ରାସ୍ତକୁ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସେହି ମାଟିର କିଛି ଅଂଶ ମଧ୍ୟ ଧୋଇ ହୋଇଯାଇଥିବା ଜଣାପଡିଛି। କଳିଙ୍ଗା ଘାଟିରେ କାର୍ଯ୍ୟ କରୁଥିବା ଏକ ବାହାର ରାଜ୍ୟର ଏକ ଠିକା କମ୍ପାନି ଅଧିକାରୀଙ୍କ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ ଭୂସ୍ଖଳନ ସ୍ଥାନରେ କାର୍ଯ୍ୟ ଆରମ୍ଭ କରିବାକୁ କହିବା ପରେ ଉକ୍ତ ରାସ୍ତା କାର୍ଯ୍ୟକୁ ଠିକା କମ୍ପାନି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିବା ବେଳେ ବର୍ଷା ବାଧକ ସାଜିଛି। ପୂର୍ବରୁ ପଡିଥିବା ପଥର ଗୁଡିକୁ ହଟାଇବା ସହ କିଛି ପଥରକୁ ଫଟାଇବା ପରେ ମାଟି ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ହେଉଥିବା ଦୋଖିବାକୁ ମିଳିଥିଲା। ଏପଟେ ଆଜି ବଡ ବଡ ପଥର ଖସିବାର ଦୃଶ୍ୟ ଅତି ନିକଟରୁ ଦେସଖି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନେ ଏକ ପ୍ରକାର ଭୟଭୀତ ହୋଇ ପଡିଛନ୍ତି। ପଥର ଖସିବା ସମୟରେ ପ୍ରାଣ ବିକଳରେ ସେଠାରେ ଥିବା ଲୋକ ମାନେ ଦୌଡିବା ସହ ଏହି ସମୟରେ ଭିଡିଓ ମଧ୍ୟ କଏଦ ହୋଇଛି। ତେବେ ବର୍ଷା ବଢିଲେ ଏହି ସ୍ଥାନରେ ଅଘଟଣ ମଧ୍ୟ ଘଟୁଛି। ପୁଣି ଥରେ ଅଘଟଣ ହେବା ଫଳରେ ରାଞ୍ଚି-ବିଜୟୱାଡା କରିଡ଼ର ରାସ୍ତାରେ ଗାଡି ଚଳାଚଳ ସ୍ବଭାବିକ ହେବା ନେଇ ପୁଣି ବିଳମ୍ବ ହେବାର ଆଶଙ୍କା ଦେଖା ଦେଇଛି।