
ଜଗନ୍ନାଥ ପ୍ରସାଦ ୨୨/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ଥାନା ଅଧୀନ ନଡ଼ା ଗ୍ରାମ ନିକଟ କୁକୁଡା ଫାର୍ମରୁ ଆଜି ଭଞ୍ଜନଗର ଥାନା ଓ ସ୍ଥାନୀୟ ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ୧୦ ଜୁଆଡ଼ିକୁ ଗିରଫ କରାଯାଇଛି l ଚଢ଼ାଉ ବେଳେ ନଗଦ ୫୨୫୦୦ ଟଙ୍କା, ୧୦ଜୁଆଡ଼ି, ୧୦ମୋବାଇଲ ଓ ୬ ବାଇକ ଜବତ କରି ଥାନାକୁ ଅଣାଯାଇଛି l ଏହି ଜୁଆ ଖେଳ ନଡ଼ା ଗ୍ରାମର ବୃନ୍ଦାବନ ପରିଡାଙ୍କ କୁକୁଡ଼ା ଫାର୍ମରେ ଚାଲୁଥିବା ଖବର ଉପଖଣ୍ଡ ଅଧିକାରୀ ଡ଼ଃ.ଦୀପକ କୁମାର ମିଶ୍ର ସୂଚନା ପାଇ ଥିଲେ l ଆଜି ଅପରାହ୍ନ ୬ଘଂଟିକା ସମୟରେ ଏସଡିପିଓ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା, ସ୍ଥାନୀୟ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କ ସମେତ ଏସଆଈ ଜ୍ୟୋତିରଞ୍ଜନ ସାହୁ, ଏଏସଆଈ ପ୍ରିୟରଞ୍ଜନ ମିଶ୍ର ଏବଂ ଅନ୍ୟାନ୍ୟ କର୍ମଚାରୀ କୁକୁଡାଫାର୍ମ ଚତୃପାର୍ଶ୍ଵ ଘେରି ଥିଲେ l ମାମଲା ନମ୍ବର ୪୧୩ ପ୍ରକାରେ ତପନ କୁମାର ଡାକୁଆ, ଅଶୋକ କୁମାର ପ୍ରଧାନ, ମୁନା ସାହୁ, ରବି ନାରାୟଣ ପଣ୍ଡା, କୁନା ପୃଷ୍ଟି, କାନ୍ତି ରଞ୍ଜନ ପ୍ରଧାନ, ଟିକିନା ବେହେରା, ଅମୁଲ୍ୟ କୁମାର ସ୍ୱାଇଁ, ଟୁକୁନା ସ୍ୱାଇଁ,ପ୍ରଶାନ୍ତ କୁମାର ବିଶୋଇଙ୍କୁ ପୋଲିସ ଆଜି ଗିରଫ କରିଛି l
ଏ ନେଇ ସ୍ଥାନୀୟ ଥାନାଧିକାରୀ ଶ୍ରୀ ଲେଙ୍କା କହିଛନ୍ତି ବେଆଇନ କାର୍ଯ୍ୟ ଉପରେ ଶୂନ୍ୟ ସହନ ଶୀଳତା ଲାଗୁହେବ l କୌଣସି ପରିସ୍ଥିତିରେ ବେଆଇନ କାର୍ଯ୍ୟକୁ ପ୍ରତ୍ସାହନ ଦିଆଯିବ ନାହିଁ l ଏଭଳି ଜୁଆ ଖେଳ ଉପରେ ଚଢ଼ାଉ ଜାରି ରହିବା ସହ ଜୁଆଡ଼ି ମାନଙ୍କୁ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆ ଯିବା ନେଇ ସୂଚନା ଦେଇଛନ୍ତି l