୨୭ ତାରିଖରେ ଝାରସୁଗୁଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ଆସୁଛନ୍ତି । ମୋଦିଙ୍କ ଅମଲୀପାଲିସ୍ଥିତ ପଡ଼ିଆରେ ସଭା ପାଇଁ ବ୍ୟାପକ ପ୍ରସ୍ତୁତି । ଆଜି ଅପରାହଣ ୩ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ାରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବା ପରେ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।ଏହାପରେ ପଣ୍ଡରୀପଥର ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଯାଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ତାଙ୍କ ସହିତ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଅମଲୀପାଲି ସ୍ଥିତ ସଭା ସ୍ଥଳରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେହିପରି ଆଜି ସକାଳୁ ପୋଲିସ ଡିଜି ୱାଇ.ବି. ଖୁରାନିଆ ସଭାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।ତାଙ୍କ ସହ ADG ସନ୍ତୋଷ ବାଲା, ଉତ୍ତରାଞ୍ଚଳ ଆଇ.ଜି. ହିମାଂଶୁ ଲାଲ, RDC ସଚିନ ରାମଚନ୍ଦ୍ର ଯାଦବ, ଝାରସୁଗୁଡ଼ା ଏସ.ପି. ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ଯାଞ୍ଚ କରିଥିଲେ । ବିମାନ ବନ୍ଦରରୁ ନେଇ ସଭାସ୍ଥଳ ଯାଏଁ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ । କେଉଁଠି ସିସିଟିଭି କ୍ୟାମେରା ଲାଗିବ, କେଉଁଠି ସଭାକୁ ଆସୁଥିବା ଲୋକଙ୍କ ଯାଞ୍ଚ୍ ହେବ ସେନେଇ ଡିଜିପି ସମୀକ୍ଷା କରିଥିଲେ।