
ଭଞ୍ଜନଗର ୦୬/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲିରେ ରବିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏଥିରେ ମୁଜାଗଡ ପଂଚାୟତର ପୂର୍ବତନ ସମ୍ପାଦକ ପଞ୍ଚୁ ବେହେରା (୬୫) ମୃତ୍ୟୁବରଣ କରିଛନ୍ତି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇଦେଇଛି। ଏନେଇ ଭଞ୍ଜନଗର ଥାନାରେ ୧୧୩୦/୨୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ।
ଘଟଣାରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ଗ୍ରାମର କିଛି ଯୁବକ ସହ ଅନ୍ୟ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ପଞ୍ଚୁ ବେହେରାଙ୍କ ଦୋକାନ ସମ୍ମୁଖରେ ଏହି ଝଗଡା ହୋଇଥିଲା। ଏହି ସମୟରେ ଦୋକାନରେ ଥିବା ତାଙ୍କ ଦୁଇ ପୁଅ ମଧ୍ୟ କିଛି କହିବାରୁ ସେମାନଙ୍କ ସହ ଝଗଡ଼ା ହେବାସହ ପରସ୍ପରକୁ ମୁଥ ମରାମରି ହୋଇଥିଲେ। ଏହାପରେ ପଞ୍ଚୁ ଖବର ପାଇ ଘଟଣାସ୍ଥଳକୁ ଯିବା ସମୟରେ ତାଙ୍କୁ ମଧ୍ୟ ହାତରେ ଆକ୍ରମଣ ହୋଇଥିଲା। ଗଣ୍ଡଗୋଳ ସମୟରେ
ଖବର ପାଇ ରାତିରେ ତୁରନ୍ତ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରି ଫେରି ଆସିଥିଲା। ଏହାର କିଛି ସମୟ ପରେ ପଞ୍ଚୁ ଘରେ ବାନ୍ତି କରିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ପଞ୍ଚୁ ରାତି ୧୨ ଟାରେ ମୃତ୍ୟୁବରଣ କରିଥିଲେ।
ଅପରପକ୍ଷେ, ବିପକ୍ଷ ଗୋଷ୍ଠୀର ମଧ୍ୟ ଏକାଧିକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଏନେଇ ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି,ଏନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ।